ଭୁବନେଶ୍ୱର : ଓଡ଼ିଆ ସିନେମା ଏବଂ ଟେଲିଭିଜନ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ।। ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ।। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର ଘୋଷଣା।
ଓଡ଼ିଆ ସିନେ ଜଗତର ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ ଘଟିଛି। କଟକ ଚଣ୍ଡି ରୋଡ୍ ସ୍ଥିତ ବାସଭବନରେ ଗୁରୁବାର ବିଳମ୍ବିତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଝରଣା ଦାସଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଅନ୍ତିମ ସଂସ୍କାର ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ତାଙ୍କର ମୃତ୍ୟୁ ପରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏବଂ ବିଭିନ୍ନ ସଂସ୍ଥାର କଳାକାରଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ବହୁ କଳାକାର ତାଙ୍କର ଶେଷ ଦର୍ଶନ କରିଛନ୍ତି ।
୬୦ ଦଶକରେ ଓଡ଼ିଆ ସିନେମାରେ ଆଗଧାଡ଼ିର ଅଭିନେତ୍ରୀ ଥିଲେ ଝରଣା ଦାସ। ଚଳଚ୍ଚିତ୍ର ବ୍ୟତୀତ ସେ ରେଡିଓ ଆକାଶବାଣୀ ଓ ଦୂରଦର୍ଶନ ସହିତ ମଧ୍ୟ ଜଡ଼ିତ ଥିଲେ। ସେ ଫିଲ୍ମରେ ଏବଂ ଟେଲିଭିଜନ ଦୁନିଆରେ ତାଙ୍କର ଅଭିନୟ ଜାରି ରଖିଥିଲେ । ‘୧୯୬୪ ମସିହାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ଅମଡା ବାଟ’ ମାଧ୍ୟମରେ ଓଡ଼ିଆ ସିନେମା ଜଗତରେ ପାଦ ଥାପିଥିଲେ ଝରଣା । ପରେ ୧୯୬୫ ମସିହାରେ ନିର୍ମିତ ଚଳଚ୍ଚିତ୍ର ‘ମଲାଜହ୍ନ’ରେ ଅଭିନୟ କରି ସେ ଲୋକପ୍ରିୟତାହାସଲ କରିଥିଲେ। ଅମଡ଼ା ବାଟ’, ‘ମଲା ଜହ୍ନ’ ଓ ‘ଅଦିନ ମେଘ’ ଆଦି ତାଙ୍କର ଚର୍ଚ୍ଚିତ ଚଳଚ୍ଚିତ୍ର।
ଓଡ଼ିଆ ଚଳଚ୍ଚିତ୍ର ଜଗତର ସ୍ୱନାମଧନ୍ୟ ଅଭିନେତ୍ରୀ ଝରଣା ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସ୍ଵର୍ଗତ ଝରଣା ଦାସଙ୍କୁ ଜଣେ ଯଶସ୍ବୀ କଳାକାର ଭାବରେ ବର୍ଣନା କରି ତାଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟଦା ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।