ରାଉରକେଲା: ରବିବାର ସହରରେ ହେବ ରାହାଗିରି କାର୍ଯ୍ୟକ୍ରମ।।
ଉତ୍ସବକୁ ସଫଳ କରିବାକୁ ଆରଏମ‌ସି କମିଶନରଙ୍କ ନିବେଦନ।

0 314

ରାଉରକେଲା:୧/୧୨(ସତ୍ୟା ନ୍ୟୁଜ) ଅନ୍ତର୍ଜାତୀୟ ପୁରୁଷ ହକି ବିଶ୍ବକପ୍‌ ୨୦୨୩ ଆୟୋଜନର ଗୌରବ ଅର୍ଜନ କରିଛି ଇସ୍ପାତ ନଗରୀ । ରାଜଧାନୀ ଭୁବନେଶ୍ବର ସମେତ ରାଉରକେଲାରେ ଏହି କ୍ରୀଡ଼ା ମହାକୁମ୍ଭର ଆୟୋଜନ ହେବାକୁ ଥିବା ବେଳେ ଏହାକୁ ଅତ୍ୟନ୍ତ ହର୍ଷ ଉଲ୍ଲାସର ସହ ସ୍ବାଗତ କରିବା ପାଇଁ କିଛି ନିଆରା ପଦକ୍ଷେପ ଗ୍ରହଣ କରିଛି ରାଉରକେଲା ମହାନଗର ନିଗମ । ଏକ ଉତ୍ସବର ମାହୋଲ ସୃଷ୍ଟି କରିବା ତଥା ସହରବାସୀଙ୍କୁ କ୍ରୀଡ଼ା ମନସ୍କ କରିବା ଉଦ୍ଦେଶ୍ୟରେ ପଥୋତ୍ସବ, ନଗର କ୍ରୀଡ଼ା ଉତ୍ସବ ଓ ମିନି ମାରାଥନ୍‌ ଭଳି କାର୍ଯ୍ୟକ୍ରମର ଆୟୋଜନ ନେଇ ରାଉରକେଲା ମହାନଗର ନିଗମ ଆୟୁକ୍ତ ଡ. ଶୁଭଙ୍କର ମହାପାତ୍ର ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି କ୍ରମେ ପ୍ରଥମ ପର୍ଯ୍ୟାୟରେ ଆର୍ଥତା ଆସନ୍ତା ରବିବାର ରାଉରକେଲାରେ ପ୍ରଥମ ପଥୋତ୍ସବ ବା ରାହାଗିରି ଅନୁଷ୍ଠିତ ହେବ । ନାଚ, ଗୀତ ଠାରୁ ଆରମ୍ଭ କରି ଖେଳକୁଦ ଭଳି କାର୍ଯ୍ୟକ୍ରମ ଏଥିରେ ସ୍ଥାନ ପାଇବ । ଏହା ସହିତ ଛାତ୍ରଛାତ୍ରୀ, ଯୁବକ ଯୁବତୀ ସହରବାସୀଙ୍କ ସମ୍ମୁଖରେ ସେମାନଙ୍କ ପ୍ରତିଭା ପ୍ରଦର୍ଶନର ସୁଯୋଗ ସୃଷ୍ଟି କରିଛି ଆରଏମ୍‌ସି । ଏଣୁ ଏହି ପ୍ରଥମ ପଥୋତ୍ସବ(ପ୍ରେରଣା)ରେ ଅଧିକରୁ ଅଧିକ ସଂଖରେ ଲୋକ ଯୋଗଦେଇ ଉତ୍ସବକୁ ଉପଭୋଗ କରିବା ସହ ଏହାକୁ ସଫଳ କରିବା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି ମହାନଗର ନିଗମ ଆୟୁକ୍ତ ଶ୍ରୀ ମହାପାତ୍ର ।
ସାରନା ଛକ ଠାରୁ ହନୁମାନ ବାଟିକା ଛକ ରୋଡ‌ରେ ଏହି ପଥୋତ୍ସବର ଆୟୋଜନ ହେବାକୁ ଥିବା ବେଳେ ସମଗ୍ର ଅଞ୍ଚଳକୁ ୯ଟି ଜୋନ‌ରେ ବିଭକ୍ତ କରାଯାଇଛି । ଯେଉଁଥିରେ ଭିନ୍ନ ବର୍ଗର ଲୋକଙ୍କ ପାଇଁ ଭିନ୍ନ କାର୍ଯ୍ୟକ୍ରମ ଆୟୋଜନର ବ୍ୟବସ୍ଥା ରହିଛି । ୧ମ ଓ ୯ମ ଜୋନ‌ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଥିବା ବେଳେ ଏଥିରେ ଆରଏମ‌ସି ଦ୍ବାରା ମନୋନୀତ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିପାରିବେ । ସେହିଭଳି ଦ୍ବିତୀୟ ଜୋନ୍‌ରେ ଛୋଟ ପିଲାଙ୍କ ଖେଳିବା ପାଇଁ ବ୍ୟବସ୍ଥା ରହିଥିବା ବେଳେ ତୃତୀୟ ଜୋନ‌ରେ ମହିଳାମାନେ ନିଜର ରଙ୍ଗୋଲୀ ଆଙ୍କିବାର କଳା ପ୍ରଦର୍ଶିତ କରିପାରିବେ । ଚତୁର୍ଥ ଜୋନ‌ରେ ହକି, ଫୁଟବଲ୍‌, କ୍ୟାରେମ୍, ସ୍ଳୋ ସାଇକେଲିଂ, ସ୍କେଟିଂ ଭଳି କ୍ରୀଡ଼ା କ୍ଷେତ୍ରରେ ଥିବା ସେମାନଙ୍କ ଦକ୍ଷତା ପ୍ରଦର୍ଶିତ କରିପାରିବେ । ସେହିଭଳି ଶରିରୀକ ସୁସ୍ଥତା ପାଇଁ ପଞ୍ଚମ ଜୋନ‌ରେ ଯୋଗ ଏବଂ ବିଭିନ୍ନ ପ୍ରକାର ବ୍ୟାୟମର କରି ଦେଖାଇବେ ବିଶେଷଜ୍ଞ । ଷଷ୍ଠ ଜୋନ‌ ବରିଷ୍ଠ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ସପ୍ତମ ଜୋନ‌ରେ ମୋଟର ସାଇକେଲ ଚାଳନା ସମ୍ପର୍କିତ ବିଭିନ୍ନ କଳା କୌଶଳ ପ୍ରଦର୍ଶନ କରିବେ ଯୁବପିଢ଼ି । ଅଷ୍ଟମ ଜୋନ‌ରେ କାନ୍‌ଭାସ ପେଣ୍ଟିଂ ଏବଂ ଚିତ୍ରାଙ୍କନର ବ୍ୟବସ୍ଥା ରହିଛି । ପଥୋତ୍ସବ ସହିତ ସହରରେ ଆଗକୁ ନଗର କ୍ରୀଡ଼ା ଉତ୍ସବ ଏବଂ ମିନି ମାରାଥନ୍‌ ମଧ୍ୟ ଆୟୋଜନ ହେବ ।

Leave A Reply

Your email address will not be published.