ସୁନ୍ଦରଗଡ଼ : ଜିଲ୍ଲାରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କଲେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ।

0 259

ସୁନ୍ଦରଗଡ଼:୧ /୧୨(ସତ୍ୟାନ୍ୟୁଜ): ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ ସୁନ୍ଦରଗଡ଼ ଗସ୍ତରେ ଆସି ଜିଲ୍ଲାରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ସ୍ଥାନୀୟ ସଦଭାବନା ଭବନଠାରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲିଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ଯୋଗଦେଇ ଡକ୍ଟର ଦଳାଇ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ବିଷୟରେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।

ଏହି ବୈଠକରେ ରାଜ୍ୟ ସରକାରଙ୍କ ଅଧୀନରେ ପରିଚାଳନିତ କାର୍ଯ୍ୟକ୍ରମ ସହିତ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଏବଂ ଓମ୍ବାଡସି ପାଣ୍ଠିର ଆର୍ଥିକ ସହାୟତାରେ ଚାଲିଥିବା ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ବିଶେଷକରି, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଉଦ୍ୟାନ କୃଷି, ଜଳସେଚନ, ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ମାଛ ଚାଷ, ଟସର ଚାଷ ଏବଂ ଜୀବିକା ଆଦି କ୍ଷେତ୍ର ସହିତ ମିଶନ ଶକ୍ତିର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା। ବିଭିନ୍ନ ପ୍ରକଳ୍ପ କାମ ଶେଷ କରିବାକୁ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ରାଜ୍ୟ ସରକାରଙ୍କ ୫ଟି ଅଭିଯାନ ଅଧୀନରେ ସମସ୍ତ ସରକାରୀ ହାଇସ୍କୁଲର ରୂପାନ୍ତରଣ କରାଯାଉଛି। ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ସ୍କୁଲରେ ସ୍ମାର୍ଟ କ୍ଲାସରୁମ, ଆଧୁନିକ ବିଜ୍ଞାନାଗାର, ପାଠାଗାର ଏବଂ କମ୍ପ୍ୟୁଟର ଲ୍ୟାବ ଆଦି କରାଯାଉଛି। ତେଣୁ ଏହି ଆଧୁନିକ ବ୍ୟବସ୍ଥାର ରକ୍ଷଣାବେକ୍ଷଣ ଉପରେ ଆୟୁକ୍ତ ଗୁରୁତ୍ୱ ଦେଇଥିଲେ। ଏହି କାମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ନିଯୁକ୍ତ କରିବା ଲାଗି ସେ ନିର୍ଦ୍ଦେଶ ଦେଇଥିଲେ।

ଏହି ବୈଠକରେ ସୁନ୍ଦରଗଡ଼ ଜିଲ୍ଲାର ସ୍ୱାସ୍ଥ୍ୟ ସେବା ଉପରେ ଆଲୋଚନା କରାଯାଇଥିଲା। ଜିଲ୍ଲାରେ ଗର୍ଭବତୀ ମା’ମାନଙ୍କୁ ଗର୍ଭାବସ୍ଥାରେ ୪ ଥର ମାଗଣାରେ ଅଲଟ୍ରାସାଉଣ୍ଡ ସହିତ ବିଭିନ୍ନ ପରୀକ୍ଷା ଯୋଗାଇଦେବା ଲାଗି ମାତୃଜ୍ୟୋତି କାର୍ଯ୍ୟକ୍ରମ ଚାଲିଛି। ତା’ଛଡ଼ା ଭିନ୍ନକ୍ଷମ ବ୍ୟକ୍ତିଙ୍କ ଚିକିତ୍ସା ଓ ପୁନର୍ବାସ ସେବା ପାଇଁ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ଏବଂ ଗ୍ରାମାଞ୍ଚଳ ରୋଗୀଙ୍କୁ ଅତ୍ୟାଧୁନିକ ଫିଜିଓଥେରାପି ସେବା ପ୍ରଦାନ ପାଇଁ ସମନ୍ୱିତ ଭୌତିକ ଚିକିତ୍ସା ଏବଂ ଆରୋଗ୍ୟ କେନ୍ଦ୍ର ରହିଛି। ଜିଲ୍ଲା ପ୍ରଶାସନର ଏହି ଅଭିନବ କାର୍ଯ୍ୟକ୍ରମକୁ ରାଜସ୍ୱ ଆୟୁକ୍ତ ପ୍ରଶଂସା କରିଥିଲେ।

ଚାଷୀମାନଙ୍କ ଆୟ ଦୁଇ ଗୁଣ କରିବା ପାଇଁ ରାଜ୍ୟ ସରକାର ସମନ୍ୱିତ ଚାଷ ଉପରେ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ତେଣୁ ସୁନ୍ଦରଗଡ଼ ଜିଲ୍ଲାର ଚାଷୀମାନେ ଏହି ଯୋଜନାରୁ କିପରି ଲାଭ ପାଇପାରିବେ ତା’ ଉପରେ ଧ୍ୟାନ ଦେବାକୁ ଆୟୁକ୍ତ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଉଦ୍ୟାନ କୃଷି ବିଭାଗ ଅଧୀନରେ ଜିଲ୍ଲାରେ ଛତୁ ଚାଷ, କଦଳୀ ଚାଷ ଏବଂ ବିଭିନ୍ନ ପନିପରିବା ଚାଷ କରାଯାଉଛି। ଏହାର ବଜାର ସଂଯୋଗୀକରଣ ଉପରେ ଅଧିକ ଗୁରୁତ୍ୱ ଦେବାକୁ ଆୟୁକ୍ତ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ଓ ଅଭିମନ୍ୟୁ ବେହେରା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ମହାଜନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ପିଡି ଡୁଡା ତଥା ଡିଏମଏଫ ସିଇଓ ରିତା ଡାଙ୍ଗ, ସୁନ୍ଦରଗଡ଼ ଉପଜିଲ୍ଲାପାଳ ଦାଶରଥୀ ସରାବୁ, ବଣାଇଁ ଉପଜିଲ୍ଲାପାଳ ସୁରଞ୍ଜନ ସାହୁ ଏବଂ ପାନପୋଷ ଉପଜିଲ୍ଲାପାଳ ଅଭିମନ୍ୟୁ ମାଝିଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.