ରାଉରକେଲା : ୧/୧୨(ସତ୍ୟା ନ୍ୟୁଜ) ଡ଼ାକ ବିଭାଗର କଚ୍ଛପ ଗତି ତଥା ଦାୟିତ୍ୱ ହୀନତା ପଦାରେ ପଡିଛି ରାଉରକେଲାର ଏକ ଘଟଣାରୁ। ସାବିତ୍ରୀ ବ୍ରତ ପାଇଁ ମାତ୍ର ଶହେ କିଲୋମିଟର ଦୂରରେ ରହୁଥିବା ଭଉଣୀ ପାଖକୁ ମନିଅର୍ଡର କରିଥିଲେ ଭାଇ। ତେବେ ଉକ୍ତ ମନିଅର୍ଡର ପହଞ୍ଚିବାକୁ ପ୍ରାୟ ସାଢ଼େ ବର୍ଷ ଲାଗିଗଲା। ଏହି ଘଟଣା ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାସହ ଡାକ ବିଭାଗର କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ପ୍ରକାଶଥାଉକି, ସେକ୍ଟର-୮ ସି-୧୦୮ କ୍ବାର୍ଟରରେ ରୁହନ୍ତି ପ୍ରମୋଦ ପ୍ରଧାନ। ତେବେ ତାଙ୍କ ଭଉଣୀ, ପ୍ରାୟ ଶହେ କିଲୋମିଟର ଦୂର ଟେନ୍ସାରେ ପରିବାର ସହ ବାସ କରନ୍ତି। ପ୍ରମୋଦ ଗତ ୨୦୧୮ ମସିହା ମେ’ ୯ ତାରିଖରେ ସାବିତ୍ରୀ ଅମାବାସ୍ୟା ପାଇଁ ଟେନସାରେ ରହୁଥିବା ଭଉଣୀ ସୁମିତ୍ରାଙ୍କ ପାଖକୁ ସେକ୍ଟର-୧୯ ସ୍ଥିତ ପୋଷ୍ଟ ଅଫିସରୁ ମନିଅର୍ଡର ଯୋଗେ ୫ ଶହ ଟଙ୍କା ପଠେଇଥିଲେ। କିନ୍ତୁ, ସେହି ଅର୍ଥ ସୁମିତ୍ରାଙ୍କ ପାଖରେ ପହଞ୍ଚିନଥିଲା। ସେତେବେଳେ ପ୍ରମୋଦ ଭାବିଥିଲେ ଭଉଣୀ ପାଇଯାଇଥିବେ। ଅପରପକ୍ଷରେ କୌଣସି ଅସୁବିଧା କାରଣରୁ ଭାଇ ଟଙ୍କା ପଠାଇନଥିବା ଭଉଣୀ ଭାବିନେଇଥିଲେ। ଏହାକୁ ଉଭୟ ଭାଇ-ଭଉଣୀ ଭୁଲିସାରିଥିଲେ। ତେବେ ଗତ ୨୬ ତାରିଖରେ ସୁମିତ୍ରାଙ୍କ ପାଖରେ ପହଁଚିଛି ମନି ଅର୍ଡର। ଏହି ଘଟଣା ଡାକ ବିଭାଗର କଚ୍ଛପ ଗତିକୁ ପଦାରେ ପକାଇଦେଇଛି।