ରାଉରକେଲା:୨୭/୧୧(ସତ୍ୟା ନ୍ୟୁଜ) ରାଉରକେଲାକୁ ଏବେ ଅନଲାଇନ ଠକ ଦଳ ଟାର୍ଗେଟ କରିବାକୁ ଯୋଜନା କରିଥିବା ଜଣାପଡ଼ିଛି। ବିଭିନ୍ନ ଆପ ଜରିଆରରେ ଋଣ ମାଧ୍ୟମରେ ଠକିବାର ପ୍ଲାନ ପ୍ରସ୍ତୁତ ହେଉଛି। ଦୁଇ ମାସ ପୂର୍ବରୁ ରାଉରକେଲାରେ ନକଲି ନୋଟ ଛାପୁଥିବା ଅନ୍ତଃରାଜ୍ୟ ଠକ, ଅନଲାଇନ ଠକ ଗ୍ୟାଙ୍ଗକୁ ପୁଲିସ କାବୁ କରିଥିଲା। ଏହି ଘଟଣାପରେ ଅନଲାଇନ ଠକଙ୍କ ପ୍ରାଦୂର୍ଭାବ ସହରରେ ସାମାନ୍ୟ ହ୍ରାସ ପାଇଥିଲା। ଏବେ କିନ୍ତୁ ଏହି ଠକ ମାନେ ପୁଣି ସକ୍ରିୟ ହେବାର ସୂଚନା ମିଳିଛି। ନିରୀହ ଜନସାଧାରଣଙ୍କୁ ଋଣ ଦେବା ନାଁରେ ଥୋପ ପକାଇବା ଆରମ୍ଭ ହୋଇ ଗଲାଣି। ସହରର ଉଦିତନଗର, ମେନ୍ରୋଡ୍ , ଡେଲି ମାର୍କେଟ ସମେତ ବିଭିନ୍ନ ପ୍ରମୁଖ ଅଞ୍ଚଳର କାନ୍ଥବାଡ଼ରେ ଏହି ଠକ ଦଳ ବିଜ୍ଞାପନ ଦେଇଛନ୍ତି।
ଅନ୍ୟ ଅନଲାଇନ ଠକଙ୍କ ଭଳି ଏମାନେ ଜାଲ ବିଛାଇଛନ୍ତି। କାନ୍ଥବାଡ଼ରେ ଲିଫଲେଟ୍ ଲଗାଇ କମ ସୁଧରେ ‘ଟାଟା କ୍ୟାପିଟାଲ’ ଯୋଜନାରେ ଋଣ ଦିଆଯିବବୋଲି ବଜ୍ଞାପନ କରୁଛନ୍ତି। ଏହି ବିଜ୍ଞାପନରେ ସ୍ପଷ୍ଟଭାବେ ଉଲ୍ଲେଖ କରାଯାଇଛି, ‘ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା’ରେ ଘରେ ବସି କେବଳ ମୋବାଇଲ୍ ମାଧ୍ୟମରେ ଋଣ ପାଆନ୍ତୁ। ବ୍ୟକ୍ତିଗତ ଋଣଠାରୁ ଆରମ୍ଭକରି ବ୍ୟବସାୟୀ, ଶିକ୍ଷା, ଗୃହ ନିର୍ମାଣ, ଛୋଟଛୋଟ ଉଦ୍ୟୋଗ ପାଇଁ ଋଣ ବ୍ୟବସ୍ଥା ରହିଛି। ଅନଲାଇନ୍ରେ ମାତ୍ର ୨୪ ଘଣ୍ଟାରେ ୫୦ ହଜାର ଟଙ୍କାରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ। ସମସ୍ତ ଋଣ ଟଙ୍କା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍କୁରେ ଜମା ହୋଇଯିବ। ଏଥିପାଇଁ ୯୩୫୦୯୯୪୪୩୭ ମୋବାଇଲ ନମ୍ବରରେ ଯୋଗାଯୋଗ କରିବାକୁ ବିଜ୍ଞାପନ ଦିଆଯାଇଛି।
ବାସ୍ତବରେ ଏହା କୌଣସି ଜନସାଧାରଣଙ୍କୁ ଠକିବା ପାଇଁ ଜାଲ ବିଛାଯାଇଥିବା ଜଣାପଡ଼ିଛି। ବିଜ୍ଞାପନରେ ଉଲ୍ଲେଖ ଉପରୋକ୍ତ ନମ୍ବରରେ ଯୋଗାଯୋଗ କରାଯିବାପରେ, ଏନେଇ ସ୍ପଷ୍ଟ ହୋଇଛି। ଯୋଗାଯୋଗ କରି ଋଣ ପ୍ରକ୍ରିୟା ବିଷୟରେ ପଚାରିବାରୁ ଠକ ଜଣ ନିଜକୁ ଟାଟା କ୍ୟାପିଟାଲର ବରିଷ୍ଠ ଅଧିକାରୀଭାବେ ପରିଚୟ ଦେଇଥିଲେ। ଏହାସହ କାର୍ଯ୍ୟାଳୟର ମୁଖ୍ୟାଳୟ ହରିୟାଣାରେ ଅବସ୍ଥିତ ବୋଲି କହିଥିଲେ। ଋଣ ପାଇଁ ଆବେଦନ କରିବାକୁ ହେଲେ ପ୍ରଥମ ବ୍ୟାଙ୍କ୍ ପାସ୍ବୁକ୍ ଓ ଆଧାର କାର୍ଡ ପଠାଇବାକୁ ପଡ଼ିବ। ଏହି ଡକ୍ୟୁମେଣ୍ଟ୍ ହ୍ବାଟ୍ସଆପ୍ରେ ପଠାଇବାକୁ ହେବ। ଏହାକୁ ତର୍ଜମାପରେ ଋଣ ଦିଆଯିବବୋଲି ଠକ ଜଣକ କହିଥିଲା। ଏହାପରେ ପୁନର୍ବାର ଯୋଗାଯୋଗ କରିବାରୁ ଅପରପଟରୁ ଆଉ ଜୌଣସି ଜବାବ ମିଳିନଥିଲା। ସମ୍ଭବତଃ, ବ୍ୟାଙ୍କ୍ ଆକାଉଣ୍ଟ୍/ଆଧାରକାର୍ଡ ହସ୍ତଗତ ହେଲାପରେ ଲିଙ୍କ୍ ପଠାଇ, ଅଫର୍ ଦେଇ ଟଙ୍କା ଲୁଟିବାର ପ୍ରୟାସ କରୁଛନ୍ତି ଏହି ଠକ ଦଳ।
ପ୍ରକାଶଥାଉକି, ଗତ ସେପ୍ଟେମ୍ବର ୧୨ ତାରିଖରେ ରାଉରକେଲାରେ ଏକ ଫ୍ଲାଟ୍ରେ ଚାଲିଥିଲା ଅନଲାଇନ ଠକ ଗ୍ୟାଙ୍ଗ୍ର ୮ ଜଣଙ୍କୁ କାବୁ କରିଥିଲା ରାଉରକେଲା ପୁଲିସ। ଏହି ଗ୍ୟାଙ୍ଗ୍ ଅନଲାଇନ୍ରେ ବିଭିନ୍ନ ସାମଗ୍ରୀ କିଣୁଥିବା ଗ୍ରାହକଙ୍କ ବିଷୟରେ ସଂପୂର୍ଣ୍ଣ ତଥ୍ୟ, ଘର ଠିକଣା ଆଦି ସଂଗ୍ରହ କରୁଥିଲେ। ବିଶେଷକରି ‘ନାପ୍ଟୋଲ’, ‘ମିସୋ’, ‘ସୁଧି’, ‘ହ୍ୟାମର୍ ଅଫ୍ ଥର୍’, ‘ଦିବ୍ୟାଂଶୁ ସଂସ୍ଥାନ’, ‘ସପ୍ କ୍ଲୁ’, ‘କୁଡୋସ୍ ଆୟୁର୍ବେଦ’ ଆଦି ଗ୍ରାହକଙ୍କୁ ଟାର୍ଗେଟ୍ କରୁଥିଲେ। ଏସବୁ କମ୍ପାନିର ୱେବ୍ସାଇଟ୍ରୁ ମୋବାଇଲ ନମ୍ବର, ଘର ଠିକଣା ଆଦି ସଂଗ୍ରହ କରି ଉକ୍ତ ଠିକଣାରେ ନିଜ ପାଖରେ ଥିବା ନକଲି ଗ୍ରାହକ ଆବେଦନ ଫର୍ମ ଓ ନକଲି ସ୍କ୍ରାଚ୍ କୁପନ ପଠାଉଥିଲେ। ଯେହେତୁ ପୂର୍ବରୁ ସଂପୃକ୍ତ ଗ୍ରାହକମାନେ ଅନଲାଇନ୍ରେ ସାମଗ୍ରୀ କିଣିଥିଲେ, ଏଣୁ କୌଣସି ପ୍ରକାର ସନ୍ଦେହ ଜାତ ହେଉନଥିଲା। ଯେହେତୁ ସ୍କ୍ରାଚ୍ କୁପନ୍କୁ ପୂର୍ବରୁ ଜାଲିଆତିକରି ମୋଟା ଅଙ୍କର, ଯଥା-୨୦ ଲକ୍ଷ, ୨୫ ଲକ୍ଷ, ୩୦ ଲକ୍ଷ ଟଙ୍କା ଲେଖାଯାଇଥିଲା; ଏହାକୁ ଗ୍ରାହକ ସତ ଭାବି ନେଉଥିଲେ। ଏହାପରେ ଠକ ଦଳଙ୍କ ସର୍ତ୍ତ ମୁତାବକ ପୁରସ୍କାର ରାଶି ପାଇବା ପୂର୍ବରୁ ଜିଏସ୍ଟି ବାବଦକୁ ଟଙ୍କା ପୈଠକରି ଠକାମିର ଶିକାର ହେଉଥିଲେ। ଏବେ ଅନଲାଇନ ଅନ୍ୟ ଉପାୟରେ ଠକିବାକୁ ଜାଲ ବିଛାଇ ସାରିଲେଣି। ତେବେ ଏହି ଗ୍ୟାଙ୍ଗ୍ର ସଦସ୍ୟ ବର୍ତ୍ତମାନ ରାଉରକେଲାରେ ଥିବା ସନ୍ଦେହ ପ୍ରକାଶ ପାଇଛି। ପ୍ରମୁଖ ଅଞ୍ଚଳରେ କାନ୍ଥବାଡ଼ରେ ଲିଫ୍ଲେଟ୍/ପୋଷ୍ଟର୍ ଲଗା ଯିବା ଘଟଣା ଏହା ସ୍ପଷ୍ଟ କରିଛି। ଲୋକ ଏମାନଙ୍କ ଜାଲରେ ଫସି ସର୍ବସ୍ବାନ୍ତ ହେବା ପୂର୍ବରୁ ବିହିତ ପଦକ୍ଷେପ ନେବା ଆବଶ୍ୟକ ହୋଇ ପଡିଛି।