ରାଉରକେଲା : ୨୬/୧୧(ସତ୍ୟା ନିୟୁଜ) ରାଉରକେଲାର ଦୁଇଟି ସ୍ଥାନରୁ ୧୯ ଲକ୍ଷ ୯୩ ହଜାର ଲୁଟ୍ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପ୍ଲାଣ୍ଟସାଇଟ୍ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଲୁଟେରା ହେଲେ ପଶ୍ଚିମବଙ୍ଗ ଜଲପାଇଗୁଡ଼ିର ବାଦଲ ଗୋଏଲା (୩୫)। ତା’ ନିକଟରୁ ପୁଲିସ ନଗଦ ୩୫ ହଜାର ଟଙ୍କା, ଲୁଟ୍ରେ ବ୍ୟବହୃତ ପଲ୍ସର ବାଇକ୍ ଜବତ କରିଛି। ଅବଶିଷ୍ଟ ଟଙ୍କାକୁ ବାଦଲ୍ କ’ଣ କରିଛି ପୁଲିସ ତା’ର ଖୋଳତାଡ କରୁଛି। ଏଥିସହ ବାଦଲ ଗ୍ୟାଙ୍ଗରେ ଅନ୍ୟ କେଉଁମାନେ ଅଛନ୍ତି ତା ପୋଲିସ ତଦନ୍ତ କରୁଛି। ଉଭୟ ଉଦିତନଗର ଏବଂ ପ୍ଲାଣ୍ଟସାଇଟ୍ ପୁଲିସ ମିଳିତ ଭାବେ ଏହି ଲୁଟ ଘଟଣାର ତଦନ୍ତ ଚଳାଇଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ୧୪ ତାରିଖରେ ସହରରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ କର୍ମଚାରୀ ପ୍ରଶାନ୍ତ ବିଶ୍ବାଳଙ୍କୁ ବନ୍ଧୁକ ଦେଖାଇ ଗିରଫ ବାଦଲ ୧୪ ଲକ୍ଷ ୯୩ ହଜାର ୪୦୦ ଟଙ୍କା ଲୁଟି ନେଇଥିଲା। ପ୍ରଶାନ୍ତ କୋଏଲନଗର ସ୍ଥିତ ବ୍ୟବସାୟୀଙ୍କ ଘରୁ ଟଙ୍କା ନେଇ ଉଦିତନଗରସ୍ଥ ଅଫିସକୁ ସ୍କୁଟିରେ ଆସୁଥିଲେ। ଆର୍ଏମ୍ସି ଅଫିସ ଠାରୁ ମାତ୍ର ୫୦ ମିଟର ପୂର୍ବରୁ ବାଦଲ ଓ ଅନ୍ୟ ଜଣେ ସହଯାଗୀ ପ୍ରଶାନ୍ତକୁ ଅଟାଇଥିଲେ। ପ୍ରଶାନ୍ତ ସ୍କୁଟିରୁ ଓହ୍ଲାଇବା ପରେ ବାଦଲ ପ୍ରଶାନ୍ତ ମୁଣ୍ଡରେ ପିସ୍ତଲ ଲଗାଇଥିଲେ। ଅନ୍ୟ ଜଣେ ତାଙ୍କ ପେଟରେ ଛୁରି ଲଗାଇ ଟଙ୍କା ବ୍ୟାଗ୍ ଛଡାଇଥିଲେ।
ପରଦିନ ଅର୍ଥାତ୍ ୧୫ ତାରିଖରେ ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି) ସାତତାଲା ବିଲ୍ଡିଂ ସମ୍ମୁଖ ରିଂରୋଡରେ ଗିରଫ ବାଦଲ ଷ୍ଟିଲ୍ ବ୍ୟବସାୟୀଙ୍କ କର୍ମଚାରୀ ପ୍ରଦୀପ ଜେଲ୍ ଠାରୁ ୫ ଲକ୍ଷ ଟଙ୍କା ଲୁଟି ନେଇଥିଲା। ପ୍ରଦୀପ ବିଶ୍ରା ଛକସ୍ଥ ଏଚ୍ଡିଏଫ୍ସି ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇ ଆଇଡିସି କଲୁଙ୍ଗା କାରଖାନାକୁ ମୋଟରବାଇକ୍ରେ ଯାଉଥିଲେ। ତାଙ୍କୁ କଳା ପଲ୍ସର ମୋଟର ବାଇକ୍ରେ ବାଦଲ ପିଛା କରିଥିଲେ। ସାତତାଲା ବିଲ୍ଡିଂ ସମ୍ମୁଖ ରିଂରୋଡ ଦୁଇ ଯୁବକ ପ୍ରଦୀପକୁ ଅଟକାଇଥିଲେ। ପ୍ରଦୀପ ମୋଟର ବାଇକ୍ରୁ ଓହ୍ଲାଇବାମାତ୍ରେ ବାଦଲ ଟଙ୍କା ଭର୍ତ୍ତି ବ୍ୟାଗ୍କୁ ଝାମ୍ପି ନେଇ ଫେରାର ହୋଇଯାଇଥିଲା। ଏହି ଦୁଇଟି ଲୁଟ ଘଟଣାର ଅଧିକ ତଦନ୍ତ ଜାରି ରହିଛି।