ସୁନ୍ଦରଗଡ଼ : ସରକାରୀ କର୍ମଚାରୀ ମାନେ ରବିବାର ଦିନ ଦେଖିବେ ଓଡ଼ିଆ ଫିଲ୍ମ ‘ଦମନ’।। ସ୍ଥାନୀୟ ହଲ୍ ରେ କରା ଯାଇଛି ସ୍କ୍ରିନିଂ ବ୍ୟବସ୍ଥା।
ଓଡ଼ିଆ ସିନେମା ‘ଦମନ’ ଦେଖିବେ ସୁନ୍ଦରଗଡ଼ ଜିଲ୍ଲାର ସରକାରୀ ଅଧିକାରୀ ମାନେ। ଏନେଇ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଜାରି କରିଛନ୍ତି ନିର୍ଦ୍ଦେଶନାମା । ରାଜ୍ୟ ସଂସ୍କୃତି ବିଭାଗ ଚିଠିକୁ ଆଧାର କରି ଜିଲ୍ଲାପାଳ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୭ ତାରିଖ ରବିବାର ସନ୍ଧ୍ୟା ୬ଟା ରେ ସ୍ଥାନୀୟ ଏକ ମଲ୍ଟିପ୍ଲେକ୍ସ ହଲରେ ଏହି ସିନେମାର ସ୍ବତନ୍ତ୍ର ସ୍କ୍ରିନିଁ ର ବ୍ୟବସ୍ଥା କରାଯାଇଛି।
ସୂଚନାଯୋଗ୍ୟଯେ ତିନିଦିନ ତଳେ ଲୋକସେବା ଭବନରେ ପ୍ରଦର୍ଶିତ ହୋଇଥିଲା ଚଳଚ୍ଚିତ୍ର ଦମନ। ପରେ ଏହି ଚଳଚ୍ଚିତ୍ରକୁ ରାଜ୍ୟର ଜିଲ୍ଲା ଏବଂ ଉପଖଣ୍ଡ ସ୍ତରରେ ପ୍ରଦର୍ଶିତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ।
ରାଜ୍ୟରେ ମ୍ୟାଲେରିଆ ନିରାକରଣ ଲାଗି ରାଜ୍ୟ ସରକାର ୨୦୧୬ ମସିହାରେ ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି ସବୁ ଅଞ୍ଚଳରେ ରହୁଥିବା ଲୋକଙ୍କ ମନରୁ ଅନ୍ଧ ବିଶ୍ୱାସ ଦୂର କରି ଡାକ୍ତରୀ ସେବା ଉପରେ ବିଶ୍ୱାସ ଆଣିବାକୁ ବହୁ କଷ୍ଟ କରିବାକୁ ପଡିଥିଲା। ଏହି ବାସ୍ତବ କଥା ଉପରେ ଦମନ ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଇଛି। ଜିଲ୍ଲା ଏବଂ ଉପଖଣ୍ଡ ସ୍ତରରେ ଏହି ସିନେମା ଦେଖି ସରକାରୀ କର୍ମଚାରୀ ମାନେ ପ୍ରେରଣା ପାଇ ପାରିବା ଉଦ୍ଦେଶ୍ୟରେ ଏହି ବ୍ୟବସ୍ଥା କରାଯାଇଛି।