ରାଉରକେଲା : ସୁନ୍ଦରଗଡ ଜିଲ୍ଲାପାଳଙ୍କ ରୂପାନ୍ତରିତ ସରକାରୀ ହାଇସ୍କୁଲ , ମିଶନ ଶକ୍ତି କାଫେ , ହକି ଟ୍ରଫ କାମର ସମୀକ୍ଷା

0 313

ରାଉରକେଲା:୨୧/୧୧(ସତ୍ୟା ନିୟୁଜ) ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ନୂଆଗାଁ ବ୍ଲକ୍ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି। ଜିଲ୍ଲାପାଳ ‘୫ଟି’ ଅଧୀନରେ ରୂପାନ୍ତରିତ ସରକାରୀ ହାଇସ୍କୁଲ ସହିତ ମିଶନ ଶକ୍ତି କାଫେ, ନିର୍ମାଣାଧୀନ ହକି ଟର୍ଫ ଏବଂ ବାଲା ମଡେଲ ଅଙ୍ଗନବାଡ଼ି ଆଦି କାର୍ଯ୍ୟ ସମୀକ୍ଷା କରିଛନ୍ତି।

ରାଜ୍ୟ ସରକାରଙ୍କ ୫-ଟି ଅଭିଯାନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ସରକାରୀ ହାଇସ୍କୁଲର ରୂପାନ୍ତରଣ କରାଯାଉଛି। ଜିଲ୍ଲାପାଳ ନୂଆଗାଁ ବ୍ଲକରେ ରୂପାନ୍ତରିତ ହୋଇଥିବା ପଞ୍ଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟ, ଗଜାଧର ମାଝି ଉଚ୍ଚ ବିଦ୍ୟାଳୟ, ପୁରୁଣାପାଣି ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ହାତୀବାରୀସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ସେଠାରେ ସେ ସ୍ମାର୍ଟ କ୍ଲାସରୁମ, ଆଧୁନିକ ବିଜ୍ଞାନାଗାର, ଲାଇବ୍ରେରି ଏବଂ କମ୍ପୁଟର ଲ୍ୟାବ ଆଦି ବୁଲି ଦେଖିଥିଲେ।

ସରକାରୀ ହାଇସ୍କୁଲରେ ଏଭଳି ଅତ୍ୟାଧୁନିକ ବ୍ୟବସ୍ଥା ପିଲାମାନଙ୍କ ପାଠପଢ଼ାରେ କିପରି ବିଶେଷ ସହାୟକ ହୋଇପାରୁଛି ସେ ବିଷୟରେ ଜିଲ୍ଲାପାଳ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କଠାରୁ ପଚାରି ବୁଝିଥିଲେ। ଏହାସହ ଆଗକୁ ପରୀକ୍ଷା ଆସୁଥିବାରୁ ଭଲଭାବେ ପ୍ରସ୍ତୁତ ହେବା ଲାଗି ଜିଲ୍ଲାପାଳ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।

ସୁନ୍ଦରଗଡ଼ ଜିଲ୍ଲାରେ ସାନ ସାନ ପିଲାମାନଙ୍କୁ ଆନନ୍ଦମୟ ପରିବେଶ ଭିତରେ ଶିକ୍ଷାଦାନ ଲାଗି ଅଙ୍ଗନବାଡ଼ିଗୁଡ଼ିକୁ ଆଧୁନିକ ବାଲା ମଡେଲ ଢାଞ୍ଚାରେ ନିର୍ମାଣ କରାଯାଉଛି। ତେଣୁ ଜିଲ୍ଲାପାଳ ନୂଆଗାଁ ବ୍ଲକର ବୈଦ୍ୟନାଥପୁର, କୁମ୍ଭାରଟୋଲା ଏବଂ ଓହ୍ଲାଣିଠାରେ ନିର୍ମାଣାଧୀନ ବାଲା ମଡେଲ ଅଙ୍ଗନବାଡ଼ି କାର୍ଯ୍ୟ ବୁଲି ଦେଖିଥିଲେ। ଏହାର ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଜିଲ୍ଲାପାଳ ସ୍ଥାନୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଜିଲ୍ଲାପାଳ ନୂଆଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଥିବା ‘ମିଶନ ଶକ୍ତି କାଫେ’ ପରିଦର୍ଶନ କରିଥିଲେ। ଏହି କାଫେ ପରିଚାଳନା ଦାୟିତ୍ୱରେ ରହିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ଜୀବିକା ବିଷୟରେ ପଚାରି ବୁଝିଥିଲେ। ତା’ଛଡ଼ା କାଫେର ପରିଚ୍ଛନ୍ନତା ଉପରେ ଗୁରୁତ୍ଵ ଦେବା ପାଇଁ ଜିଲ୍ଲାପାଳ ସେମାନଙ୍କୁ ପରାମର୍ଶ ଦେଇଥିଲେ।

ଏହାପରେ ଜିଲ୍ଲାପାଳ ନୂଆଗାଁଠାରେ ନିର୍ମାଣାଧୀନ ହକି ଟର୍ଫ ପଡ଼ିଆର ଅଗ୍ରଗତି ଅନୁଧ୍ୟାନ କରିଥିଲେ। ଶୀଘ୍ର ଏହାର କାମ ଶେଷ କରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ରାଉରକେଲା ଡିଏଫଓ ଯଶୋବନ୍ତ ସେଠୀ, ପାନପୋଷ ଉପଜିଲ୍ଲାପାଳ ଅଭିମନ୍ୟୁ ମାଝି, ବ୍ଲକ ଅଧ୍ୟକ୍ଷା ବିଶ୍ଵାସୀ ଟପ୍ନୋ, ବିଡିଓ ବିକ୍ରାଣୀ କିସ୍ପୋଟାଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.