ରାଉରକେଲା : ସୁନ୍ଦରଗଡ଼ ନୂଆଗାଁ ବ୍ଲକ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଶୁଣାଣି।। ୭୧ ଅଭିଯୋଗରୁ ୨ଟିର ତୁରନ୍ତ ସମାଧାନ।
ରାଉରକେଲା :୨୧/୧୧(ସତ୍ୟା ନିୟୁଜ) ନୂଆଗାଁ ବ୍ଲକ କାର୍ଯ୍ୟାଳୟଠାରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏବଂ ରାଉରକେଲା ଏସପି ମୁକେଶ କୁମାର ଭାମୁ ଉପସ୍ଥିତ ରହି ସାଧାରଣ ଲୋକଙ୍କ ପକ୍ଷରୁ ଆସିଥିବା ବିଭିନ୍ନ ଆପତ୍ତି ଅଭିଯୋଗ ଶୁଣାଣି କରିଥିଲେ।
ଏହି ଜନଶୁଣାଣିରେ ଆସିଥିବା ମୋଟ ୭୧ଟି ଅଭିଯୋଗ ଭିତରୁ ୨ଟିର ସମାଧାନ ତୁରନ୍ତ କରାଯାଇଥିଲା। ଅନ୍ୟ ଅଭିଯୋଗଗୁଡ଼ିକର ବିଚାର କରାଯାଇ ଶୀଘ୍ର ସମାଧାନ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ନୂଆଗାଁ ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରୁ ସାଧାରଣ ଲୋକମାନେ ଭାଗ ନେଇଥିଲେ। ସେମାନେ ପାନୀୟ ଜଳ ସମସ୍ୟା, ବିଦ୍ୟୁତ ଯୋଗାଣ, ରାସ୍ତା ଘାଟ, କଲଭର୍ଟ ଓ ବ୍ରିଜ ନିର୍ମାଣ, ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି, ଅଙ୍ଗନବାଡିରେ ରହିଥିବା ବିଭିନ୍ନ ସମସ୍ୟା, ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା, ଜମିଜମା ବିବାଦ ଆଦି ଅଭିଯୋଗ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ।
ଏହି ଜନଶୁଣାଣିରେ ରାଉରକେଲା ଡିଏଫଓ ଯଶୋବନ୍ତ ସେଠୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ପାନପୋଷ ଉପଜିଲ୍ଲାପାଳ ଅଭିମନ୍ୟୁ ମାଝି, ଡେପୁଟି କଲେକ୍ଟର (ଜରୁରିକାଳୀନ) କୁନ୍ତୀରାଣୀ ନାଏକ, ନୂଆଗାଁ ବ୍ଲକ ଅଧ୍ୟକ୍ଷା ବିଶ୍ଵାସୀ ଟପ୍ନୋ ଏବଂ ବିଡିଓ ବିକ୍ରାଣୀ କିସପୋଟାଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।