ରାଉରକେଲା : ହକି ବିଶ୍ୱକପ ପ୍ରସ୍ତୁତି।। ହକି ଇଣ୍ଡିଆ ସଭାପତି , କ୍ରୀଡା ସଚିବଙ୍କ ରାଉରକେଲା ଗସ୍ତ ଏବଂ ସମୀକ୍ଷା।

0 395

ରାଉରକେଲା,୧୩ ନଭେମ୍ବର ୨୦୨୨; ପୁରୁଷ ହକି ବିଶ୍ବକପ୍‌ ୨୦୨୩ ପରିପ୍ରେକ୍ଷୀରେ ରାଉରକେଲା ଷ୍ଟାଡିୟମ୍‌ କମିଟି ସହ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଏବଂ ରାଜ୍ୟ କ୍ରୀଡ଼ା ସଚିବ ଆର. ଭିନିନ୍‌କ୍ରିଷ୍ଣା ରବିବାର ରାଉରକେଲା ବିମାନ ବନ୍ଦର ପରିସରରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ହକି ବିଶ୍ବକପ୍‌ ୨୦୨୩ ଦାୟିତ୍ବରେ ଥିବା ବିଭିନ୍ନ ଅଧିକାରୀଙ୍କ ସହ ଶ୍ରୀଯୁକ୍ତ ତିର୍କୀ ଏବଂ ଶ୍ରୀ ଭିନିଲକ୍ରିଷ୍ଣା ବିଷଦ ଭାବେ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ବିଶ୍ବକପ ପ୍ରସ୍ତୁତି ନେଇ ହକି ଇଣ୍ଡିଆର ସଭାପତି ଶ୍ରୀ ତିର୍କୀ ସନ୍ତୋଷ ପ୍ରକାଶ କରିଥିଲେ। ବାକି ଥିବା କାମକୁ ଯଥାଶୀଘ୍ର ସମାପ୍ତ କରିବା ପାଇଁ ସମସ୍ତ ଅଧିକାରୀଙ୍କୁ କ୍ରୀଡ଼ା ସଚିବ ଶ୍ରୀଯୁକ୍ତ ଭିନିନ୍‌କ୍ରିଷ୍ଣା ନିର୍ଦ୍ଦେଶ ଦେଇଥିଲେ ।
ଏହି ବୈଠକରେ ରାଉରକେଲା ବିର୍ସା ମୁଣ୍ଡା ଅର୍ନ୍ତଜାତୀୟ ହକି ଷ୍ଟାଡିୟମର ଭିତ୍ତିଭୂମି, ଖେଳାଳିଙ୍କ ରହଣୀସ୍ଥଳ, ଷ୍ଟାଡିୟମ୍‌ ପରିସରସ୍ଥ ରାସ୍ତା ଘାଟ, ଶୌଚାଳୟ ଏବଂ ଆନୁସାଙ୍ଗିକ ବ୍ୟବସ୍ଥା ଏବଂ ବିପିୟୁଟି ପରିସରର ସୌନ୍ଦର୍ଯ୍ୟକରଣ ସମ୍ପର୍କରେ ଇଡ‌କୋ ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲା। ସେହିପରି ପୂର୍ତ୍ତ ବିଭାଗ ସହ ଷ୍ଟାଡିୟମ୍‌ ଚତୁଃପାର୍ଶ୍ବ ଅଞ୍ଚଳର ରାସ୍ତା ଘାଟ ଏବଂ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ନେଇ ସମୀକ୍ଷା କରାଯାଇଥିଲା । ତତ୍‌ସହିତ ଷ୍ଟାଡିୟମ ଏବଂ ଖେଳାଳୀଙ୍କ ସୁରକ୍ଷା ସହିତ ଷ୍ଟାଡିୟମ୍‌, ହୋଟେଲ, ବିଭିନ୍ନ ହସ୍ପିଟାଲ ଏବଂ ଆକର୍ଷଣୀୟ ସ୍ଥଳଗୁଡ଼ିକର ଅଗ୍ନି ନିର୍ବାପକ ବ୍ୟବସ୍ଥା ଏବଂ ବିପର୍ଯ୍ୟୟ ପରିଚାଳନା ସମ୍ପର୍କରେ ସମୁଚିତ ପଦକ୍ଷେପ ନେବା ପାଇଁ ପୋଲିସ ଏବଂ ଅଗ୍ନିଶମ ବିଭାଗ ସହ ଆଲୋଚନା ହୋଇଥିଲା।
ବିଶ୍ବକପ୍‌ ସମୟରେ ମ୍ୟାଚ୍‌ ଦିନ ଡାକ୍ତର, ସହାୟକ କର୍ମଚାରୀ ଏବଂ ଆମ୍ବୁଲାନ୍ସ ବ୍ୟବସ୍ଥା ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଷଦଭାବେ ଆଲୋଚନା କରାଯାଇଥିଲା । ଇସ୍ପାତ ଜେନେରାଲ ହସ୍ପିଟାଲକୁ ମଧ୍ୟ ଆବଶ୍ୟକସ୍ଥଳେ ବ୍ୟବହାର ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଏ ନେଇ ସେଲ୍‌ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଛି । ଷ୍ଟାଡିୟମ୍‌ ଆଖପାଖ ଅଞ୍ଚଳରେ ୫ଟି ପାର୍କିଂ ସ୍ଥଳ ବିକାଶ କରାଯାଉଛି ଏବଂ ଏହାକୁ ଶୀଘ୍ର ବ୍ୟବହାର ଉପଯୋଗୀ କରିବା ପାଇଁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ପାର୍କିଂ ସ୍ଥଳ ଏବଂ ଅନ୍ୟାନ୍ୟ ସ୍ଥାନରେ ଆବଶ୍ୟକୀୟ ଶୌଚାଳୟ, ପିଇବା ପାଣିର ବ୍ୟବସ୍ଥା ଏବଂ ଆଲୋକୀକରଣ କରିବା ପାଇଁ ସ୍ଥିରୀକୃତ ହୋଇଛି । ଏଥିସହିତ ସହରର ବିଭିନ୍ନ ପ୍ରବେଶପଥ, ରାସ୍ତାକଡ଼, ଷ୍ଟାଡିୟମ୍‌ ପରିସର ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣସ୍ଥାନ ଗୁଡ଼ିକରେ ଆଲୋକୀକରଣ ମାଧ୍ୟମରେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ରାଉରକେଲା ମହାନଗର ନିଗମ ଏବଂ ଜିଲ୍ଲା ପ୍ରଶାସନକୁ ଦାୟିତ୍ବ ପ୍ରଦାନ କରାଯାଇଛି ।
ବିଶ୍ବକପ୍‌ ମ୍ୟାଚ୍‌ ସମୟରେ ନିରବିଚ୍ଛିନ୍ନ ବିଦ୍ୟୁତ ସରବରାହ ସହ ଷ୍ଟାଡିୟମ୍‌ ପରିସରରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ବୈଷୟିକ କର୍ମଚାରୀ ନିୟୋଜିତ କରିବା ପାଇଁ ଉପସ୍ଥିତ ଶକ୍ତି ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ରାଉରକେଲାରେ ଚଳିତ ବିଶ୍ବକପ‌ର ପ୍ରଥମ ମ୍ୟାଚ୍‌ ଅନୁଷ୍ଠିତ ହେବ ଏବଂ ଏଠାରେ ପ୍ରାରମ୍ଭିକ ଉତ୍ସବ ମଧ୍ୟ ଅନୁଷ୍ଠିତ ହେବ । ଏହି ଉତ୍ସବକୁ ସ୍ମରଣୀୟ ତଥା ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସମ୍ପର୍କରେ କମିଟିର ମତାମତ ନେବା ସହ ହକି ଇଣ୍ଡିଆର କର୍ମକର୍ତ୍ତାଙ୍କ ସହ ଆଲୋଚନା କରାଯାଇଛି । ଏହି ବୈଠକରେ କ୍ରୀଡ଼ା ସଚିବ ଶ୍ରୀ ଆର. ଭିନିଲ୍‌କ୍ରିଷ୍ଣାଙ୍କ, ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀଙ୍କ। ସମେତ ରାଉରକେଲା ହକି ବିଶ୍ବକପ୍‌ର ସ୍ବତନ୍ତ୍ର ଅଧିକାରୀ ତଥା ଇଡ‌କୋ ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ, ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀ, ସୁନ୍ଦରଗଡ଼ ଜିଲ୍ଲାପାଳ ଡ. ପରାଗ ହର୍ଷଦ ଗାଭାଲି, ରାଉରକେଲା ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ, ରାଉରକେଲା ଅତିରିକ୍ତ ଜିଲ୍ଳାପାଳ ତଥା ମହାନଗର ନିଗମ ଆୟୁକ୍ତ ଡ. ଶୁଭଙ୍କର ମହାପାତ୍ର, ଇଡ‌କୋର ବରିଷ୍ଠ ଅଧିକାରୀ, ବିପିୟୁଟିର ଅଧିକାରୀ, ହକି ଇଣ୍ଡିଆର ପ୍ରତିନିଧି, ଟାଟା ପାଓ୍ବାରର ପ୍ରତିନିଧି, ସ୍ବାସ୍ଥ୍ୟ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ରାଉରକେଲାର ଅଗ୍ନିଶମ ଅଧିକାରୀ ଏବଂ କ୍ରୀଡ଼ା ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ତରାଇ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.