ସୁନ୍ଦରଗଡ଼ : ଅନ୍ତର୍ଜାତୀୟ କୁତ୍ରିମ ଅଙ୍ଗ ଓ ସହାୟକ ଉପକରଣ ବିଜ୍ଞାନ ଦିବସ ପାଳିତ।। ୭ ଜଣ ହିତାଧିକାରୀଙ୍କୁ କୁତ୍ରିମ ଅଙ୍ଗ ପ୍ରଦାନ।

0 248

ସୁନ୍ଦରଗଡ଼, ୫ ନଭେମ୍ବର ୨୦୨୨: ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରଠାରେ ଶନିବାର ଅନ୍ତର୍ଜାତୀୟ କୃତ୍ରିମ ଅଙ୍ଗ ଓ ସହାୟକ ଉପକରଣ ବିଜ୍ଞାନ ଦିବସ (ଇଣ୍ଟରନ୍ୟାସନାଲ ପ୍ରୋସ୍ଥେଟିକ୍ସ ଏବଂ ଅର୍ଥୋଟିକ୍ସ ଡେ) ଆୟୋଜିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ଅବସରରେ ୭ ଜଣ ହିତାଧିକାରୀଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ କରାଯାଇଥିଲା।

ପ୍ରଥମଥର ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏ ବର୍ଷର ଥିମ୍ ଥିଲା ‘ସକ୍ଷମ ଏବଂ ସଶକ୍ତ’। ଆମ ସମାଜରେ ଥିବା ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସକ୍ଷମ ଓ ସ୍ବାଭାବିକ ଜୀବନ ବଂଚିବାର ସୁଯୋଗ ଦେବା ହେଉଛି ଏହି ଅନ୍ତର୍ଜାତୀୟ କୃତ୍ରିମ ଅଙ୍ଗ ଓ ସହାୟକ ଉପକରଣ ବିଜ୍ଞାନ ଦିବସର ଲକ୍ଷ୍ୟ।

“ଭିନ୍ନକ୍ଷମମାନଙ୍କର ସଶକ୍ତିକରଣ ପାଇଁ ଜିଲ୍ଲା ପ୍ରଶାସନ ସବୁବେଳେ ଚେଷ୍ଟା କରିଆସୁଛି। ଯେଉଁମାନେ ଦୁର୍ଘଟଣା କିମ୍ବା ଅନ୍ୟ କୌଣସି କାରଣରୁ ନିଜର ଅଙ୍ଗ ହରାଇ ଶାରୀରିକ ଅକ୍ଷମତା ଭୋଗିଆସୁଛନ୍ତି, ସୁନ୍ଦରଗଡ଼ ସ୍ଥିତ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ପକ୍ଷରୁ ସେମାନଙ୍କୁ ମାଗଣାରେ କୃତ୍ରିମ ଅଙ୍ଗ ପ୍ରଦାନ କରାଯାଇ ପୁଣିଥରେ ସେମାନଙ୍କୁ ସଚଳ ଓ ସକ୍ଷମ କରାଯାଇପାରୁଛି। ଫଳରେ ସେମାନେ ରୋଜଗାରକ୍ଷମ ହେବା ସହ ସ୍ବାଭାବିକ ଜୀବନ ଜିଇଁପାରୁଛନ୍ତି”, କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର।

ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସୁନ୍ଦରଗଡ଼ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ବା ଆଡଭାନ୍ସଡ ରିହାବିଲିଟେସନ ସେଣ୍ଟର (ଏଆରସି) ଖୋଲାଯାଇଛି। ସେଠାରେ ଅଭିଜ୍ଞ ଥେରାପିଷ୍ଟମାନଙ୍କ ଦ୍ବାରା ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ମାଗଣାରେ ରୋବୋଟିକ୍ସ ଫିଜିଓଥେରାପି ସେବା ପ୍ରଦାନ କରାଯାଉଛି।

ସେହିପରି ଅଙ୍ଗ ହରାଇଥିବା ବ୍ୟକ୍ତିମାନଙ୍କର ଚିକିତ୍ସା ସହ ମାଗଣାରେ କୃତ୍ରିମ ଅଙ୍ଗ ପ୍ରଦାନ କରାଯାଉଛି। ଅଙ୍ଗ ପ୍ରତିରୋପଣ ପରେ ଜଣେ ଭିନ୍ନକ୍ଷମ ବ୍ୟକ୍ତି ପୁଣିଥରେ ରୋଜଗାର କରିବାକୁ ସକ୍ଷମ ହୋଇପାରୁଛି ଏବଂ ସମାଜରେ ସମ୍ମାନର ସହ ବଂଚିବାର ସୁଯୋଗ ପାଇପାରୁଛି।

“୨୦୨୦ ମସିହାରେ ଶରୀରରେ କ୍ୟାନ୍ସର ଗୁରୁତର ରୂପ ନେବାରୁ ମୋର ବାମ ଗୋଡ଼ ଅସ୍ତ୍ରୋପଚାର କରି କଟାଯାଇଥିଲା। ଏହାପରେ ଆଶାବାଡ଼ି ମୋର ଚଲାବୁଲାର ସାହାରା ପାଲଟି ଯାଇଥିଲା। କିଛି ମାସ ତଳେ ଜଣେ ସମ୍ପର୍କୀୟଙ୍କଠାରୁ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ବିଷୟରେ ଜାଣିବା ପରେ ବାପା ସେଠାରେ ମୋର ନାମ ପଞ୍ଜିକରଣ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ମୋତେ କୃତ୍ରିମ ଗୋଡ଼ ପ୍ରଦାନ କରାଯାଇଛି। ସେଥିପାଇଁ ମୁଁ ବହୁତ ଖୁସି ଅଛି। ଦିନେ ଡିପ୍ଲୋମା ପଢ଼ିବାର ଯେଉଁ ଆଶା ରଖିଥିଲି, ତାହା ଏବେ ପୂରଣ କରିପାରିବି”, କହିଛନ୍ତି ଅନ୍ତର୍ଜାତୀୟ କୃତ୍ରିମ ଅଙ୍ଗ ଓ ସହାୟକ ଉପକରଣ ବିଜ୍ଞାନ ଦିବସ ଅବସରରେ କୃତ୍ରିମ ଅଙ୍ଗ ପାଇଥିବା ବୀରମିତ୍ରପୁର ଅଂଚଳର ଆକାଶ ବାଗ୍।

୨୦୨୦ ଜୁଲାଇରୁ ୨୦୨୨ ଅକ୍ଟୋବର ମାସ ଶେଷ ସୁଦ୍ଧା ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ପକ୍ଷରୁ ୪୫୪ ଜଣ ହିତାଧିକାରୀଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ କରାଗଲାଣି। ସେହିପରି ୪୫୦୭ଟି ସେସନ ଜରିଆରେ ୨୬୪ ଜଣଙ୍କୁ ରୋବୋଟିକ୍ସ ଫିଜିଓଥେରାପି ସେବା ଯୋଗାଇ ଦିଆଗଲାଣି। ଏହି ଚିକିତ୍ସା ଓ ପୁନର୍ବାସ ସେବା କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବା ଡିଏମଏଫ୍ ଆର୍ଥିକ ସହାୟତା ଯୋଗାଇ ଦେଉଛି।

ଶନିବାର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସପିଟାଲର ଡିନ୍ ପ୍ରଫେସର ଡାକ୍ତର ଦୈତାରୀ ରାଉତରାୟ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ହାବଡାସିଂ, ଡେପୁଟି କଲେକ୍ଟର (ଜରୁରିକାଳୀନ) କୁନ୍ତି ରାଣୀ ନାୟକ, ଏଡିଏମଓ ଡାକ୍ତର ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.