ଉତ୍ତମ ମାନର ଖାଦ୍ୟ ପ୍ରସ୍ତୁତି ଏବଂ ପରିବେଷଣ ଲାଗି ମିଳିବ ଆର୍ଥିକ ପୁରସ୍କାର।। ଆର ଏମ୍ ସି କମିଶନର କଲେ ଘୋଷଣା।

0 246

ରାଉରକେଲା ୬ ନଭେମ୍ବର ୨୦୨୨; ଶନିବାର ଛେଣ୍ଡ କଲୋନୀ ସ୍ଥିତ ଆହୁତି ଭବନ ପରିସରରେ ପଥ ପାର୍ଶ୍ବ ତଥା ଫୁଡ୍‌ କୋର୍ଟ ଖାଦ୍ୟ ବ୍ୟବସାୟୀଙ୍କ ଫୁଡ୍‌ ଲାଇସେନ୍ସ ପଞ୍ଜୀକରଣ ଓ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ରାଉରକେଲା ମହାନଗର ନିଗମ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଶିବିରରେ ବ୍ୟବସାୟୀମାନେ ଖାଦ୍ୟ ପ୍ରସ୍ତୁତି ଓ ପରିବେଷଣ ବେଳେ କେଉଁ ସବୁ ନିମୟ ପାଳନ କରିବେ ସେ ନେଇ ବିସ୍ତୃତ ଭାବେ ଅବଗତ କରାଯାଇଥିଲା । ଏହି ଅବସରରେ ମହାନଗର ନିଗମ ଆୟୁକ୍ତ ଡ. ଶୁଭଙ୍କର ମହାପାତ୍ର ଯୋଗ ଦେଇ ଟ୍ରେଡ୍ ଲାଇସେନ୍ସ ଏବଂ ଫୁଡ୍‌ ଲାଇସେନ୍ସ ଯଥାଶୀଘ୍ର କରାଇନେବାକୁ ବ୍ୟବସାୟୀଙ୍କୁ ନିବେଦନ କରିଥିଲେ । ଏହାସହିତ ଉତ୍ତମମାନର ଖାଦ୍ୟ ପ୍ରସ୍ତୁତି ଓ ପରିବେଷଣ ନେଇ ବ୍ୟବସାୟୀଙ୍କୁ ଉତ୍ସାହିତ କରିବା ଲାଗି ଆର୍ଥିକ ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛନ୍ତି । ଆସନ୍ତା ୩ ମାସ ଯାଏଁ ପ୍ରତି ମାସରେ ଶ୍ରେଷ୍ଠ ୫ ପ୍ରଦର୍ଶନକାରୀଙ୍କୁ ମହାନଗର ନିଗମ ପକ୍ଷରୁ ପୁରସ୍କୃତ କରାଯିବ । ଏତଦ‌ବ୍ୟତୀତ ୩ମାସ ପରେ ଶ୍ରେଷ୍ଠ ୩ ଜଣଙ୍କୁ ଯଥାକ୍ରମେ ୧୫ ହଜାର, ୧୦ ହଜାର ଓ ସାଢ଼େ ୭ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ମହାନଗର ନିଗମ ଆୟୁକ୍ତ ଶ୍ରୀ ମହାପାତ୍ର ଘୋଷଣା କରିଛନ୍ତି ।

ଶନିବାର ପୂର୍ବାହ୍ନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ମହାନଗର ନିଗମର ସ୍ବାସ୍ଥ୍ୟ ଅଧିକାରୀ ଡ. ସୁଶୀଲ କୁମାର ପରିଡ଼ା ଯୋଗ ଦେଇ ଖାଦ୍ୟ ଉତ୍ପାଦନ ଓ ପରିବେଷଣ ନେଇ ସରକାରଙ୍କ ଦ୍ବାରା ପ୍ରଦତ୍ତ ୧୨ ନିୟମାବଳୀ ସମ୍ପର୍କରେ ବିସ୍ତୃତ ଭାବେ ବ୍ୟବସାୟୀଙ୍କୁ ବୁଝାଇଥିଲେ । ବିଶେଷକରି ଆସନ୍ତା ଜାନୁଆରୀ ମାସରେ ରାଉରକେଲାରେ ହକି ବିଶ୍ବ ଖେଳାଯିବାକୁ ଥିବାରୁ ରାଜ୍ୟ ତଥା ଦେଶ ବାହାରୁ କ୍ରୀଡ଼ାପ୍ରେମୀ ଆସିବେ। ଏଣୁ ସେମାନଙ୍କୁ ଏକ ସୁସ୍ଥ ପରିବେଶ ମଧ୍ୟରେ ସୁରକ୍ଷିତ ଆହର ପରିସିଦେବା ସହ ଉତ୍ତମ ଆତିଥ୍ୟ ପ୍ରଦାନ ନେଇ ଏଭଳି କାର୍ଯ୍ୟକ୍ରମ ଅୟୋଜନ କରାଯାଇଥିବା ସେ କହିଛନ୍ତି । ଏହା ସହିତ ଆଗାମୀ ଦିନରେ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ପକ୍ଷରୁ ବିଭିନ୍ନ ଖାଦ୍ୟ ଷ୍ଟଲମାନଙ୍କ ଉପରେ ଜୋରଦାର ଚଢ଼ାଉ କରାଯିବା ଏବଂ ନିୟମଖିଲାପକାରୀଙ୍କ ଠାରୁ ଜରିମାନା ଅଦାୟ ସହ ଆବଶ୍ୟକ ପଡ଼ିଲେ ଦୋକାନ ମଧ୍ୟ ସିଲ୍‌ କରାଯିବ ।
ଅପରପକ୍ଷରେ ଫୁଡ୍‌ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍‌ ଇଣ୍ଡିଆର ପଞ୍ଜିକୃତ ପ୍ରଶିକ୍ଷକ ରଞ୍ଜନ କୁମାର ମଲ୍ଲିକ ଖାଦ୍ୟ ବ୍ୟବସାୟୀଙ୍କୁ ଖାଦ୍ୟ ପ୍ରସ୍ତୁତି ଏବଂ ପରିବେଷଣ ସମ୍ପର୍କରେ ପ୍ରୋଜେକ୍ଟର ମାଧ୍ୟମରେ ତାଲିମ ପ୍ରଦାନ କରିଥିଲେ। ଅସୁରକ୍ଷିତ ଖାଦ୍ୟ କ’ଣ ? ଖାଦ୍ୟରେ ରଙ୍ଗର ବ୍ୟବହାର କେତେ ହାନୀକାରକ ଏହା ସହିତ ଖାଦ୍ୟ ପ୍ରସ୍ତୁତି ଏବଂ ପରିବେଷଣ ସମୟରେ କିଭଳି ସତର୍କତା ଅବଲମ୍ବନ କରିବେ ସେ ନେଇ ମଧ୍ୟ ତାଲିମ ପ୍ରଦାନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ମହାନଗର ନିଗମ ସ୍ବାସ୍ଥ୍ୟ ବିଭାଗର ଖାଦ୍ୟ ନିରାପତ୍ତା ଅଧିକାରୀ ସ୍ବାଗତିକା ବେହେରା, ଦିକ୍ସା ଦେ, ମୋନାଲିସା ଟପ୍ପୋ, ମୋନାଲୀ ବେହେରାଙ୍କ ସମେତ ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.