ରାଉରକେଲା : ସହରର ଟ୍ରାଫିକ ବ୍ୟବସ୍ଥା ସୁଧାରିବାକୁ ଅଣ୍ଟା ଭିଡ଼ିଲେ
ଆର ଏମ୍ ସି ଏବଂ ପୋଲିସ।। ଫୁଟପାଥ ଖାଲି ରଖିବାକୁ ବ୍ୟବସୟୀଙ୍କୁ ନିର୍ଦ୍ଦେଶ।
ଏବେ ରାଉରକେଲା ପ୍ରଶାସନ ପକ୍ଷରୁ ସହରର ଜନଗହଳି ପୂର୍ଣ୍ଣ ରାସ୍ତାରେ ଟ୍ରାଫିକ ଵ୍ୟଵସ୍ଥା ବ୍ୟବସ୍ଥିତ କରିବା ଉଦ୍ୟମ ଆରମ୍ଭ ହୋଇଛି। ଏହି ମିଶନ ର ପ୍ରଥମ ପର୍ଯ୍ୟାୟରେ ଫୁଟପାଥ କୁ ଜବର ଦଖଲ କରି ବ୍ୟବସାୟ କରୁଥିବା ଲାକଙ୍କୁ ଚେତାବନୀ ଦିଆଯାଇଛି। ସେମାନେ ନିଜନିଜ ସାମଗ୍ରୀ ଫୁଟପାଥ ରୁ ହଟାଇ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତାକାଲି ଶୁକ୍ରବାର ଠାରୁ ଏହି ନିୟମ କଡାକଡି ଭାବେ ଲାଗୁ ହେବ। ଯେଉଁମାନେ ଫୁଟପାଥ ରୁ ନିଜ ସାମଗ୍ରୀ ହଟାଇ ନଥିବେ ସେମାନଙ୍କ ପ୍ରତି ରାଉରକେଲା ମହାନଗର ନିଗମ ପକ୍ଷରୁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ ଗୁରୁବାର ଦିନ ଉଭୟ ଆର ଏମ୍ ସି ଏବଂ ପୋଲିସ ପକ୍ଷରୁ ମାଇକ ଦ୍ୱାରା ଲୋକଙ୍କୁ ସଚେତନ କରାଯାଇଛି।
ଏହା ବ୍ୟତୀତ ସହରର ମୁଖ୍ୟ ରାସ୍ତାରେ ବେଆଇନ ପାର୍କିଙ୍ଗ କୁ ବାରଣ କରାଯାଇଛି। କାର ଏବଂ ବାଇକ ରଖିବା ଲାଗି ପ୍ରଶାସନ ପକ୍ଷରୁ ମୁଖ୍ୟ ମାର୍ଗର ଦୁଇ ତିନୋଟି ଜାଗାରେ ପାର୍କିଙ୍ଗ ସ୍ଥଳ କରାଯାଉଛି । ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ ନିକଟ ପୁର୍ତ୍ତ ବିଭାଗ କଲୋନୀ ପାଖରେ ଏକ ପାର୍କିଂ ସ୍ଥଳ କରିବାକୁ ନିଷ୍ପତ୍ତି ନିଆଯାଇଛି।
ସହରର ମୁଖ୍ୟମାର୍ଗ ବ୍ୟତୀତ ହନୁମାନ ବାଟିକା ରୋଡ଼ରେ ଟ୍ରାଫିକ ସମସ୍ୟା ଉତ୍କଟ ହୋଇପଡିଛି। ଏହି ପର୍ଯ୍ୟଟନ ସ୍ଥଳୀ କୁ ବୁଲି ଆସୁଥିବା ଲୋକମାନେ ରାସ୍ତା କଡରେ ପାର୍କିଙ୍ଗ କରିବାକୁ ବାଧ୍ୟ ହେଉଛନ୍ତି। ଏବେ ହନୁମାନ ବାଟିକା ଟ୍ରଷ୍ଟ ପକ୍ଷରୁ ତ୍ରିଶକ୍ତି ମନ୍ଦିର ନିକଟରେ ଏକ ପାର୍କିଂ ସ୍ଥଳ କରାଯାଉଛି। ଦୁଇ ଏକର ପରିମିତ ଏହି ପାର୍କୀଙ୍ଗ ଏରିଆ ଖୁବ ଶୀଘ୍ର ସାରିବାକୁ ପଦକ୍ଷେପ ନିଆଯାଉଛି।