ସୁନ୍ଦରଗଡ଼ ୨ ନଭେମ୍ବର ୨୦୨୨: ଓଡ଼ିଶା ରାଜ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ ସାରା ରାଜ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି। ଏହି କ୍ରମରେ ବୁଧବାର ଦିନ ସୁନ୍ଦରଗଡ଼ଠାରେ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଦୁର୍ନୀତି ନିବାରଣ ପାଇଁ ରହିଥିବା ବିଭିନ୍ନ ନିୟମ ସମ୍ପର୍କରେ ତୃଣମୂଳ ସ୍ତରର ଜନସାଧାରଣ କିପରି ସଚେତନ ହେବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା।
ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏବଂ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ‘ଏକ ବିକଶିତ ରାଷ୍ଟ୍ର ପାଇଁ ଦୁର୍ନୀତି ମୁକ୍ତ ଭାରତ’ ଶୀର୍ଷକ ଉପରେ ଆଲୋଚନା କରାଯାଇଥିଲା। ଏଥିର ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ଼ ଏସପି ସାଗରିକା ନାଥ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି ରୋକିବା ଲାଗି ରହିଥିବା ନିୟମ ସମ୍ପର୍କରେ କହିଥିଲେ।
‘‘ଦୁର୍ନୀତି ନିବାରଣ ପାଇଁ ଆମ ଦେଶରେ ବିଭିନ୍ନ ଆଇନ ରହିଛି। ତେଣୁ ସାଧାରଣ ଲୋକମାନେ ପ୍ରଥମେ ଏହିସବୁ ଆଇନ ବିଷୟରେ ଭଲଭାବେ ଜାଣିବା ଦରକାର। ତା’ଛଡ଼ା ଛାତ୍ରଛାତ୍ରୀ ଏବଂ ଯୁବପିଢ଼ି ଏ ଦିଗରେ ଆଗକୁ ଆସି ଦୁର୍ନୀତି ନିବାରଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ’’, ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଏସପି ସାଗରିକା ନାଥ।
ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦୁର୍ନୀତି ନିବାରଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା କରାଯାଇଥିଲା। ଏଥିରେ ସଫଳତା ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।
ଏହାଛଡ଼ା ବୁଧବାର ପୂର୍ବାହ୍ନରେ ଦୁର୍ନୀତି ନିବାରଣ ସମ୍ପର୍କରେ ସାଧାରଣ ଲୋକମାନଙ୍କୁ ସଚେତନ କରିବା ଲାଗି ଏକ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସହିତ ସ୍କୁଲ ଏବଂ କଲେଜ ସ୍ତରର ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ।
ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା ଏବଂ ରବି ନାରାୟଣ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଲଳିତ ରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଭିଜିଲାନ୍ସ ଡିଏସପି ସୁଧାଂଶୁ ଶେଖର ପୂଜାରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ତୃଣମୂଳ ସ୍ତରରୁ ଦୁର୍ନୀତି ହଟାଇବା ପାଇଁ ଗ୍ରାମସଭା କରାଯାଇ ପଞ୍ଚାୟତ ପ୍ରତିନିଧି, ସାଧାରଣ ଲୋକ, ସ୍ଵେଚ୍ଛାସେବୀମାନଙ୍କୁ ଦୁର୍ନୀତି ନିବାରଣ ବିଷୟରେ ସଚେତନ କରାଯାଉଛି।