ସୁନ୍ଦରଗଡ଼ : ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ରା ବ୍ଲକ କାର୍ଯ୍ୟାଳୟରେ ଯୁଗ୍ମ ଜନଶୁଣାଣି।। ୭ଟି ମାମଲାର ତୁରନ୍ତ ସମାଧାନ।
ରାଉରକେଲା, ୩୧ ଅକ୍ଟୋବର ୨୦୨୨: ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ବିଶ୍ରା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏବଂ ରାଉରକେଲା ଏସପି ମୁକେଶ କୁମାର ଭାମୁ ଉପସ୍ଥିତ ରହି ସାଧାରଣ ଲୋକଙ୍କ ପକ୍ଷରୁ ଆସିଥିବା ବିଭିନ୍ନ ଆପତ୍ତି ଅଭିଯୋଗ ଆଦିର ଶୁଣାଣି କରିଥିଲେ।
ଏହି ଜନଶୁଣାଣିରେ ମୋଟ ୫୬ଟି ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ୭ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗଗୁଡ଼ିକର ବିଚାର କରାଯାଇ ସମାଧାନ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ବିଶ୍ରା ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରୁ ଆସିଥିବା ଲୋକମାନେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ସେଥିମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଜୁଳି, ରାସ୍ତାଘାଟ ଆଦି ପ୍ରମୁଖ ସମସ୍ୟା ରହିଥିଲା।
ଏହି ଅବସରରେ ଜଣେ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ସେହିପରି କପାଟମୁଣ୍ଡା ଓ ମନକୋ ଗ୍ରାମ ପଞ୍ଚାୟତର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଦୁଇ ଜଣ ସଦସ୍ୟାଙ୍କୁ ଆଜୀବିକା ଗ୍ରାମୀଣ ଏକ୍ସପ୍ରେସ ଯୋଜନା ଅଧୀନରେ ଅଟୋ ଯୋଗାଇ ଦିଆଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭୈରବ ସିଂ ପଟେଲ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ପାନପୋଷ ଉପଜିଲ୍ଲାପାଳ ଅଭିମନ୍ୟୁ ମାଝି, ଡୁଡା ପିଡି ତଥା ଡିଏମଏଫ ସିଇଓ ରିତା ଡାଙ୍ଗ, ବିଶ୍ରା ବ୍ଲକ ଅଧ୍ୟକ୍ଷା ଫୁଲମଣି କେରକେଟା, ଡେପୁଟି କଲେକ୍ଟର (ଆପାତକାଳୀନ) କୁନ୍ତୀ ରାଣୀ ନାୟକ, ରାଉରକେଲା ଡିଏଫଓ ଯଶୋବନ୍ତ ସେଠି, ଡାକ୍ତର ରୀନା ପ୍ରଧାନ ଆଇଏଏସ (ପ୍ରୋବେସନର), ବିଶ୍ରା ବିଡିଓ ଅଂଶୁମାନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।