ରାଉରକେଲା : ବିଶ୍ରା ବ୍ଲକ କାର୍ଯ୍ୟାଳୟ ପରିସରରେ ଖୋଲିଲା ମିଶନ ଶକ୍ତି କାଫେ।। ଉଦଘାଟନ କଲେ ସୁନ୍ଦରଗଡ଼ ଜିଲ୍ଲାପାଳ।

0 317

ରାଉରକେଲା, ୩୧ ଅକ୍ଟୋବର ୨୦୨୨: ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ ସଦରମହକୁମାକୁ ପ୍ରତିଦିନ ବିଭିନ୍ନ କାମରେ ଆସୁଥିବା ଜନସାଧାରଣଙ୍କ ସୁବିଧା ପାଇଁ ଓଡ଼ିଶା ଜୀବିକା ମିଶନ, ମିଶନ ଶକ୍ତି ବିଭାଗ ପକ୍ଷରୁ ସ୍ୱତନ୍ତ୍ର କାଫେ ଖୋଲାଯାଉଛି। ଏହିକ୍ରମରେ ସୋମବାର ଦିନ ବିଶ୍ରା ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ କାଫେ ଖୋଲିଛି। ଏହାକୁ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଉଦଘାଟନ କରିଥିଲେ।

ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାରେ ଖୋଲିଥିବା ଏହି ‘ମିଶନ ଶକ୍ତି କାଫେ’ର ପରିଚାଳନା ଦାୟିତ୍ଵ ସ୍ଥାନୀୟ ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନଙ୍କୁ ଦିଆଯାଇଛି। ଏଠାରେ ସ୍ୱାସ୍ଥ୍ୟକର ପରିବେଶ ଭିତରେ ଲୋକମାନଙ୍କୁ ଉଚିତ ଦରରେ ସକାଳ ଓ ସନ୍ଧ୍ୟା ଜଳଖିଆ ସହିତ ମଧ୍ୟାହ୍ନ ଭୋଜନ ମିଳୁଛି।

ସପ୍ତାହରେ ୬ ଦିନ (ରବିବାରକୁ ଛାଡ଼ି) ସକାଳ ୮ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହି କାଫେ ଖୋଲା ରହିବ। ଏଠାରେ ଜଳଖିଆରେ ବରା, ଆଳୁଚପ, ଇଡଲି ଆଦି ମିଳୁଥିବା ବେଳେ ମଧ୍ୟାହ୍ନ ଭୋଜନରେ ଭାତ, ଡାଲି, ତରକାରି, ଚିପ୍ସ, ଭଜା, ଶାଗ ସହିତ ଆମିଷ ମଧ୍ୟରେ ମାଛ, ଚିକେନ ଓ ଅଣ୍ଡାରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ମିଳୁଛି। ଅପରାହ୍ନରେ ଚା’, କଫି ଓ ପକଡ଼ି ଆଦି ମିଳୁଛି। ଆବଶ୍ୟକସ୍ଥଳେ କିମ୍ବା ଅର୍ଡର ଅନୁଯାୟୀ ଏସଏଚଜି ମା’ମାନେ ରାତ୍ରିଭୋଜନ ମଧ୍ୟ ପ୍ରସ୍ତୁତ କରୁଛନ୍ତି।

ମିଶନ ଶକ୍ତିର ମା’ମାନଙ୍କୁ ସ୍ୱାବଲମ୍ବୀ କରିବାରେ ଏହି କାଫେ ବଡ଼ ମାଧ୍ୟମ ପାଲଟିଛି। ଓଡ଼ିଶା ଜୀବିକା ମିଶନ ଅଧୀନରେ ଏହି କିଚେନ୍ ପରିଚାଳନା ଲାଗି ମିଶନ ଶକ୍ତିର ମା’ମାନଙ୍କୁ ଆବଶ୍ୟକ ତାଲିମ ଦିଆଯାଉଛି। ଖାଦ୍ୟ ପ୍ରସ୍ତୁତି ସହିତ ଗ୍ରାହକମାନଙ୍କୁ କିପରି ଉତ୍ତମ ସେବା ଯୋଗାଇଦେବେ ସେ ବାବଦରେ ମଧ୍ୟ ପ୍ରଶିକ୍ଷଣ ବେଳେ ଗୁରୁତ୍ୱ ଦିଆଯାଉଛି। ମିଶନଶକ୍ତି ମା’ମାନଙ୍କୁ ଏଥିରେ ଯୋଡ଼ା ଯାଇ ସେମାନଙ୍କ ଭିତରେ ପରିଚାଳନା ଦକ୍ଷତା ବୃଦ୍ଧି ସହ ସେମାନଙ୍କ ଜୀବିକା ସୁନିଶ୍ଚିତ କରାଯାଇପାରୁଛି।

ପୂର୍ବରୁ କୁଆରମୁଣ୍ଡାରେ ମଧ୍ୟ ଏକ ‘ଉତ୍କଳ କିଚେନ’ ଖୋଲାଯାଇଛି। ଏଥିପାଇଁ ଓଡ଼ିଶା ମିନେରାଲ ବିୟରିଂ ଏରିଆଜ୍ ଡେଭଲପମେଣ୍ଟ କର୍ପୋରେସନ ବା ଓମ୍ବାଡସି ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଆଗକୁ ପର୍ଯ୍ୟାୟକ୍ରମେ ଜିଲ୍ଲାର ଅନ୍ୟ ୧୫ଟି ବ୍ଲକରେ ଏହି କାଫେ ଖୋଲାଯିବ। ଏଥିପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

‘ମିଶନ ଶକ୍ତି କାଫେ’ ଶୁଭାରମ୍ଭ ଅବସରରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭୈରବ ସିଂ ପଟେଲ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ପାନପୋଷ ଉପଜିଲ୍ଲାପାଳ ଅଭିମନ୍ୟୁ ମାଝି, ଡୁଡା ପିଡି ତଥା ଡିଏମଏଫ ସିଇଓ ରିତା ଡାଙ୍ଗ, ବିଶ୍ରା ବ୍ଲକ ଅଧ୍ୟକ୍ଷା ଫୁଲମଣି କେରକେଟା, ରାଉରକେଲା ଡିଏଫଓ ଯଶୋବନ୍ତ ସେଠି, ଡାକ୍ତର ରୀନା ପ୍ରଧାନ ଆଇଏଏସ (ପ୍ରୋବେସନର), ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସୀନି ଚକ୍ର, ବିଶ୍ରା ବିଡିଓ ଅଂଶୁମାନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.