ରାଉରକେଲା ନାଲା ରୋଡ ରେ ଥିବା ଏକ ଅସୁରକ୍ଷିତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଏକ ଛେଳି ର ମୃତ୍ୟୁ ହେବା ପରେ ଉକ୍ତ ଅଞ୍ଚଳରେ ପ୍ରବଳ ଜନ ଅସନ୍ତୋଷ ଦେଖା ଦେଇଥିଲା। ଉକ୍ତ ଟ୍ରାନ୍ସଫର୍ମର ମାଟିରୁ ମାତ୍ର ଦୁଇ ଫୁଟ ଉଚ୍ଚତାରେ ଥିବା ବେଳେ ଘେରା ଯାଇଥିବା କାନ୍ଥ ଭାଙ୍ଗି ଯାଇଛି। ଫଳରେ ଟ୍ରାନ୍ସଫର୍ମର ଅସୁରକ୍ଷିତ ଅବସ୍ଥାରେ ରହିଛି। ଟ୍ରାନ୍ସଫର୍ମର କମ ଉଚ୍ଚତାରେ ଥିବାରୁ ଡ୍ରେନ ପାଣି ପଶି ଯାଉଛି ଏବଂ ପାଣି ସଂସ୍ପର୍ଶରେ ବିଦ୍ୟୁତ ତାର ଲାଗି କରେଣ୍ଟ ପ୍ରବାହିତ ହେଉଛି। ଏପରି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ବିଦ୍ୟୁତ ଆଘାତରେ ଛେଳି ମରି ଯିବା ପରେ ଉକ୍ତ ଏରିଆ ରେ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା। ଫଳରେ ଲୋକମାନଙ୍କ ଅସନ୍ତୋଷ ଆହୁରି ବଢ଼ି ଯାଇଥିଲା। ପରେ ବିଦ୍ୟୁତ ବିଭାଗ ଅଧିକାରୀ ଏବଂ କର୍ମଚାରୀ ମାନେ ସେଠାରେ ପହଞ୍ଚି କାମ ଆରମ୍ଭ କରିଥିଲେ। ଅସୁରକ୍ଷିତ ଅବସ୍ଥାରେ ଥିବା ଟ୍ରାନ୍ସଫର୍ମର ଏରିଆକୁ ବାଉଁଶ ସାହାଯ୍ୟରେ ଘେରା ଯାଇଥିଲା। ଖୁବ ଶୀଘ୍ର ସେଠାରେ ସ୍ଥାୟୀ କାନ୍ଥ ନିର୍ମାଣ କରାଯିବା ନେଇ ପ୍ରତିଶ୍ରୁତି ପରେ ଲୋକମାନଙ୍କ ଆକ୍ରୋଶ ଶାନ୍ତ ହୋଇଥିଲା।