କୋଭିଡରେ ପ୍ରାଣ ହରାଇଥିବା ସୁନ୍ଦରଗଡ଼ ଜିଲ୍ଲାର ଦୁଇ କନଷ୍ଟେବଳଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ
ରାଉରକେଲା, ୫ ଅକ୍ଟୋବର ୨୦୨୧: କୋଭିଡ୍ ମହାମାରୀରେ ପ୍ରାଣ ହରାଇଥିବା ସୁନ୍ଦରଗଡ଼ ଜିଲ୍ଲାର କନଷ୍ଟେବଳ ଲରେନ୍ସ ଏକ୍କା ଏବଂ କିଶୋର କୁମାର ମିଞ୍ଜଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦିଆଯାଇଛି। ଅନଲାଇନ ମାଧ୍ୟମରେ ଦିଆଯାଇଥିବା ସହାୟତା ରାଶିର ପ୍ରମାଣପତ୍ରକୁ ମଙ୍ଗଳବାର ଦିନ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ଓ ରାଉରକେଲା ଏସ ପି ମୁକେଶ ଭାମୁ ପ୍ରଦାନ କରିଛନ୍ତି।
ଲରେନ୍ସ ଏକ୍କାଙ୍କ ଘର ଲାଠିକଟା ବ୍ଲକର କୁଲୁଙ୍ଗା ଅଂଚଳରେ। ସେ ରାଉରକେଲା ପୋଲିସ ଜିଲ୍ଲା ଅନ୍ତର୍ଗତ ରଘୁନାଥପାଲ୍ଲି ଥାନାରେ କନଷ୍ଟେବଳ ଭାବେ ଚାକିରି କରୁଥିଲେ। କୋଭିଡ୍ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଗତ ଏପ୍ରିଲ ୨୭ ତାରିଖରେ ପ୍ରାଣ ହରାଇଥିଲେ। ସେହିପରି ରାଜଗାଙ୍ଗପୁର ବ୍ଲକର କେଶରମାଲ ଅଞ୍ଚଳରେ କିଶୋର ମିଞ୍ଜଙ୍କ ଘର। ସେ ସୁନ୍ଦରଗଡ଼ ଜିଲ୍ଲା ପୋଲିସ ଅନ୍ତର୍ଗତ ଭସ୍ମା ଥାନାର ଦରଲିପାଲି ବିଟରେ ଚାକିରି କରୁଥିବା ବେଳେ କୋଭିଡ୍ ଆକ୍ରାନ୍ତ ହୋଇ ମେ’ ୨ ତାରିଖ ଦିନ ମୃତ୍ୟୁବରଣ କରିଥିଲେ।
କୋଭିଡ୍-୧୯ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋଲିସ କର୍ମଚାରୀମାନଙ୍କୁ ଆଗ ଧାଡ଼ିର କରୋନା ଯୋଦ୍ଧା ଭାବେ ଘୋଷଣା କରିଥିଲେ। ଏହାସହିତ କରୋନାରେ ପ୍ରାଣ ହରାଇଥିବା କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ପରିବାର ବର୍ଗଙ୍କୁ ୫୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଷଣା କରିଥିଲେ। ଏହାକୁ ଆଧାର କରି ରାଜ୍ୟ ସରକାରଙ୍କ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାର ଦୁଇ କନଷ୍ଟେବଳଙ୍କ ପରିବାରକୁ ଏହି ଅନୁକମ୍ପା ରାଶି ପ୍ରଦାନ କରାଯାଇଛି।