ସୁନ୍ଦରଗଡ଼ : ହାତୀ ଆକ୍ରମଣରେ ମହିଳା ଫରେଷ୍ଟ ଗାର୍ଡ ଙ୍କ ମୃତ୍ୟୁ ର ନୂତନ ମୋଡ।। ମାନସିକ ଚାପରେ କର୍ମଚାରୀ ରହୁଥିବା ଅଭିଯୋଗ।। ଡିଏଫ୍ଓ ଙ୍କ ବଦଳି ଦାବି।
ମହିଳା ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ପରେ ବନ ବିଭାଗରେ ଅସନ୍ତୋଷ, ଡିଏଫଓଙ୍କୁ ଘେରିଲେ କର୍ମଚାରୀ
ଡିଏଫଓଙ୍କ ମାନସିକ ଚାପ ଓ ମନମାନି ବିରୋଧରେ ସଙ୍ଗିନ ଅଭିଯୋଗ; ତୁରନ୍ତ ବଦଳି ପାଇଁ ଦାବି
ସୁନ୍ଦରଗଡ଼ : ୨୮/୧୧ (ସତ୍ୟାନ୍ୟୂଜ): ମହିଳା ଫରେଷ୍ଟ ଗାର୍ଡ ପ୍ରତିଭା ବିଶିଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟଣାକୁ ନେଇ ସୁନ୍ଦରଗଡ଼ ବନ ବିଭାଗରେ ଏବେ ଅସନ୍ତୋଷର ନିଆଁ ଜଳିଛି। ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଏହି ଦୁଃଖଦ ଘଟଣା ପରେ ବନ ବିଭାଗର କର୍ମଚାରୀମାନେ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟଶୈଳୀ ଓ କର୍ମଚାରୀଙ୍କ ଉପରେ ରହୁଥିବା ମାନସିକ ଚାପକୁ ନେଇ ମୁହଁ ଖୋଲିଛନ୍ତି।
ଶନିବାର ମୃତ ମହିଳା ଫରେଷ୍ଟ ଗାର୍ଡଙ୍କ ଶବକୁ ସୁନ୍ଦରଗଡ଼ ଜିଲ୍ଲା ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ରଖି ତାଙ୍କର ସହକର୍ମୀ ଫରେଷ୍ଟ ଗାର୍ଡ ଓ ଫରେଷ୍ଟରମାନେ ଡିଏଫଓଙ୍କୁ ଘେରାଉ କରିଥିଲେ। ଡିଏଫଓଙ୍କ ମନମାନି ଏବଂ କର୍ମଚାରୀଙ୍କୁ ନିୟମିତ ଭାବେ ମାନସିକ ଚାପ ଦିଆଯାଉଥିବା ନେଇ ସେମାନେ ସଙ୍ଗିନ ଅଭିଯୋଗ ଆଣିଥିଲେ।
ଏପରିକି ଡିଏଫଓଙ୍କ କାର୍ଯ୍ୟଶୈଳୀ ଯୋଗୁଁ କର୍ମଚାରୀମାନେ ଅତିଷ୍ଠ ହୋଇପଡ଼ିଥିବା ଅଭିଯୋଗ କରିବା ସହ ତୁରନ୍ତ ତାଙ୍କୁ ସୁନ୍ଦରଗଡ଼ରୁ ବଦଳି କରିବାକୁ ଦାବି କରିଥିଲେ। ଜଣେ ମହିଳା ଫରେଷ୍ଟର ମଧ୍ୟ ଡିଏଫଓଙ୍କ ଦ୍ୱାରା କର୍ମଚାରୀମାନେ ମାନସିକ ଚାପର ସମ୍ମୁଖୀନ ହେଉଥିବା ଅଭିଯୋଗ ଉଠାଇଥିଲେ।
ଅନ୍ୟପକ୍ଷରେ, କର୍ମଚାରୀଙ୍କ ଅଭିଯୋଗ ସମ୍ପର୍କରେ ତଦନ୍ତ କରାଯାଇ ଉଚିତ୍ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୁନ୍ଦରଗଡ଼ ଡିଏଫଓ କହିଛନ୍ତି।
ମହିଳା ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ପରେ ବନ ବିଭାଗ ଭିତରେ ଏଭଳି ଅସନ୍ତୋଷ ଓ ବିଭାଗୀୟ କାର୍ଯ୍ୟଶୈଳୀକୁ ନେଇ ଉଠିଥିବା ପ୍ରଶ୍ନ ଘଟଣାକୁ ନୂଆ ମୋଡ଼ ଦେଇଛି। ତଦନ୍ତ ପରେ ଏହି ଅଭିଯୋଗ ଉପରେ କି ପଦକ୍ଷେପ ନିଆଯାଉଛି, ତାହା ଏବେ ଦେଖିବାକୁ ବାକି ରହିଲା।