ରାଉରକେଲା : ପିଏମ୍ ଆବାସ ଟଙ୍କା ମଞ୍ଜୁର ପାଇଁ ୩୦ ହଜାର ଲାଞ୍ଚ।ଭିଜିଲାନ୍ସ ଜାଲରେ ବିରମିତ୍ରପୁର ପୌର କର୍ମଚାରୀ।ଗରିବ ଆଦିବାସୀ ହିତାଧିକାରୀଙ୍କୁ ଛାଡ଼ିଲେନି,
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ଟଙ୍କା ମଞ୍ଜୁର ପାଇଁ ୩୦ ହଜାର ଲାଞ୍ଚ। ଭିଜିଲାନ୍ସ ଜାଲରେ ପୌରପାଳିକା କର୍ମଚାରୀ
ବିରମିତ୍ରପୁର ପୌରପାଳିକାର ଇନଫ୍ରାଷ୍ଟ୍ରକ୍ଚର ଏକ୍ସପର୍ଟ ବୈବସ୍ୱତ ମନୁ ରାଉତ ଗିରଫ
ସୁନ୍ଦରଗଡ଼: ୨୮/୧୧ (ସତ୍ୟାନ୍ୟୁଜ) ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ)ରେ ଘର ନିର୍ମାଣ ପାଇଁ ବାକି ଟଙ୍କା ମଞ୍ଜୁର କରାଇଦେବାକୁ ୩୦ ହଜାର ଟଙ୍କା ଲାଞ୍ଚ ଦାବି ଓ ଗ୍ରହଣ କରି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବିରମିତ୍ରପୁର ପୌରପାଳିକାର ଜଣେ କର୍ମଚାରୀ।
ଗିରଫ କର୍ମଚାରୀ ହେଲେ ବୈବସ୍ୱତ ମନୁ ରାଉତ। ସେ ବିରମିତ୍ରପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ଇନଫ୍ରାଷ୍ଟ୍ରକ୍ଚର ଏକ୍ସପର୍ଟ ଭାବେ କାର୍ଯ୍ୟରତ ଥିଲେ।
ଭିଜିଲାନ୍ସ ସୂଚନା ଅନୁଯାୟୀ, ଜଣେ ଗରିବ ଆଦିବାସୀ ହିତାଧିକାରୀଙ୍କୁ ପିଏମଏୱାଇ-ସହରାଞ୍ଚଳ ଯୋଜନାରେ ଘର ନିର୍ମାଣ ପାଇଁ ୨.୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ସେଥିରୁ ୧.୩୦ ଲକ୍ଷ ଟଙ୍କା ବାକି ରହିଥିଲା। ଏହି ଅର୍ଥ ମଞ୍ଜୁର କରାଇଦେବା ପାଇଁ ଅଭିଯୁକ୍ତ ରାଉତ ହିତାଧିକାରୀଙ୍କୁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।
ହିତାଧିକାରୀ ଜଣକ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ଅଭିଯୁକ୍ତ ତାଙ୍କ କାମ ଆଗକୁ ବଢ଼ାଉନଥିଲେ। ଏପରିକି ଲାଞ୍ଚ ଦେବାକୁ ଅସମର୍ଥତା ପ୍ରକାଶ କରିବା ସତ୍ତ୍ୱେ ଟଙ୍କା ଦାବିରେ ଅଡ଼ି ବସିଥିଲେ। ଶେଷରେ ହିତାଧିକାରୀ ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।
ଏହି ଅଭିଯୋଗ ଆଧାରରେ ନଭେମ୍ବର ୨୮ ତାରିଖରେ ଭିଜିଲାନ୍ସ ପକ୍ଷରୁ ଜାଲ ବିଛାଯାଇଥିଲା। ଲାଞ୍ଚ ଟଙ୍କା ୩୦ ହଜାର ଗ୍ରହଣ କରୁଥିବା ସମୟରେ ଅଭିଯୁକ୍ତ ବୈବସ୍ୱତ ମନୁ ରାଉତଙ୍କୁ ଭିଜିଲାନ୍ସ ଟିମ୍ କାବୁ କରିଥିଲା। ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି।
ଏହି ଘଟଣାରେ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।