ରାଉରକେଲା : ବାଇକ୍ ଚୋରି ରାକେଟ୍ ର ପର୍ଦ୍ଦାଫାସ।। ୩ ଗିରଫ।। ୯ ଟି ଚୋରି ବାଇକ୍ ଉଦ୍ଧାର।

0 72

ରାଉରକେଲାରେ ବାଇକ୍ ଚୋରି ରାକେଟ୍‌ର ପର୍ଦ୍ଦାଫାସ୍, ୩ ଗିରଫ
୯ଟି ଚୋରି ଗାଡ଼ି ଉଦ୍ଧାର, ମାଲଗୋଦାମ ନିକଟ ବୁଦା ଭିତରୁ ମିଳିଲା ବାଇକ୍ ଓ ସ୍କୁଟର

ରାଉରକେଲା, ନଭେମ୍ବର ୨୮ (ସତ୍ୟାନ୍ୟୁଜ୍): ରାଉରକେଲା ସହରରେ ବାଇକ୍ ଚୋରି ଘଟଣାର ତଦନ୍ତ କରି ପ୍ଲାଣ୍ଟସାଇଟ୍ ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିବା ସହିତ ୯ଟି ଚୋରି ଦୁଇଚକିଆ ଯାନ ଉଦ୍ଧାର କରିଛି। ଉଦ୍ଧାର ଗାଡ଼ି ମଧ୍ୟରେ ମୋଟରସାଇକେଲ ସହିତ ସ୍କୁଟର ମଧ୍ୟ ରହିଛି।
ପୁଲିସ ସୂଚନା ଅନୁଯାୟୀ, ଗତ ନଭେମ୍ବର ୨୦ ଓ ୨୧ ତାରିଖ ମଧ୍ୟବର୍ତ୍ତୀ ରାତିରେ ମାଲଗୋଦାମ ଅଞ୍ଚଳରୁ ଏକ ହିରୋ ସିଡି ଡିଲକ୍ସ ମୋଟରସାଇକେଲ (ନଂ OR-14V-8357) ଚୋରି ହୋଇଥିଲା। ଏ ନେଇ ନୟାବଜାରର ସାହାଦେବ ସୁନା (୨୬) ନଭେମ୍ବର ୨୩ ତାରିଖରେ ପ୍ଲାଣ୍ଟସାଇଟ୍ ଥାନାରେ ଅଭିଯୋଗ କରିଥିଲେ।
ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି କ୍ରମରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅଭିଯୁକ୍ତମାନଙ୍କ ନିକଟରୁ ୩ଟି ମୋଟରସାଇକେଲ ଜବତ କରିଥିଲା। ପରବର୍ତ୍ତୀ ତଦନ୍ତରେ ମାଲଗୋଦାମ ନିକଟସ୍ଥ ଏକ ନିଛାଟିଆ ବୁଦାଳିଆ ସ୍ଥାନରୁ ଆଉ ୬ଟି ଚୋରି ମୋଟରସାଇକେଲ ଓ ସ୍କୁଟର ଉଦ୍ଧାର କରାଯାଇଥିଲା। ଅଭିଯୁକ୍ତ ଟିଙ୍କୁ ସାହୁଙ୍କ ସୂଚନା ଆଧାରରେ ସ୍ୱାଧୀନ ସାକ୍ଷୀଙ୍କ ଉପସ୍ଥିତିରେ ଏହି ଗାଡ଼ିଗୁଡ଼ିକ ଉଦ୍ଧାର ହୋଇଥିବା ପୁଲିସ କହିଛି।
ଗିରଫ ଅଭିଯୁକ୍ତମାନେ ହେଲେ ମଧୁସୂଦନପାଲି ତେଲୁଗୁ ବସ୍ତିର ଟିଙ୍କୁ ସାହୁ (୨୨), ମଧୁସୂଦନପାଲି ୱାର୍ଡ ନଂ ୧୧ର ବେଟ୍ରି ଓରଫ ଅନୁପ କୁମାର ଉପାଧ୍ୟାୟ (୨୩) ଏବଂ ୱାର୍ଡ ନଂ ୯ର ଚିଣ୍ଟୋ ରାଓ ଓରଫ ବି. ସୂର୍ଯ୍ୟ (୧୯)। ସମସ୍ତେ ପ୍ଲାଣ୍ଟସାଇଟ୍ ଥାନା ଅଞ୍ଚଳର ବାସିନ୍ଦା।
ପୁଲିସ ଉଦ୍ଧାର କରିଥିବା ୯ଟି ଗାଡ଼ି ମଧ୍ୟରେ ୬ଟି ମୋଟରସାଇକେଲ ମଡେଲ ଓ ୩ଟି ସ୍କୁଟର/ମୋଟରସାଇକେଲ ସମ୍ବନ୍ଧୀୟ ତାଲିକା ରହିଛି। ଉଦ୍ଧାର ଗାଡ଼ିଗୁଡ଼ିକ ହେଲା ହିରୋ ଏଚ୍‌ଏଫ୍ ଡିଲକ୍ସ, ଟିଭିଏସ୍ ରାଇଡର, ହୋଣ୍ଡା ଆକ୍ଟିଭା, ହିରୋ ହୋଣ୍ଡା ସିଡି ଡନ୍, ଆଭେଞ୍ଜର ଓ ପ୍ୟାସନ୍ ପ୍ରୋ।
ଏହି ଘଟଣାରେ ଆଉ କେଉଁ କେଉଁ ଚୋରି ମାମଲାରେ ଅଭିଯୁକ୍ତମାନଙ୍କ ସମ୍ପୃକ୍ତି ରହିଛି, ସେ ଦିଗରେ ପୁଲିସ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.