ସୁନ୍ଦରଗଡ଼ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଶୁଣାଣି । ୧୩୩ ଅଭିଯୋଗରୁ ୫୫ ଅଭିଯୋଗର ତୁରନ୍ତ ସମାଧାନ।

0 248

ସୁନ୍ଦରଗଡ଼,୧୧ ଅକ୍ଟୋବର ୨୦୨୨: ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ ଆଦି ଶୁଣାଣି କରି ଏହାର ଆଶୁ ସମାଧାନ କରିବା ଲାଗି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ କରାଯାଉଛି। ଏହି କ୍ରମରେ ସୋମବାର ଦିନ ସୁନ୍ଦରଗଡ଼ଠାରେ ଅନୁଷ୍ଠିତ ଜନଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣାଣି କରିଥିଲେ।

ଏହି ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମରେ ମୋଟ ୧୩୩ଟି ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ଜନଶୁଣାଣି ସ୍ଥଳରେ ୫୫ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗଗୁଡ଼ିକର ବିଚାର କରି ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରୁ ଲୋକମାନେ ବିଭିନ୍ନ ସମସ୍ୟା ନେଇ ଆସିଥିଲେ। ସେଥିମଧ୍ୟରେ ଭତ୍ତା, ଜମିପଟ୍ଟା, ରାସନ କାର୍ଡ, ନୂତନ ରାସ୍ତା ନିର୍ମାଣ ସହିତ ରାସ୍ତା ମରାମତି, ଡ୍ରେନ ନିର୍ମାଣ ଆଦି ପ୍ରମୁଖ ସମସ୍ୟା ରହିଥିଲା।

ଅଧିକ ଚିକିତ୍ସା ସେବା ପାଇଁ ଆବଶ୍ୟକ ସହାୟତା ଲାଗି ଆଗରୁ ସୁନ୍ଦରଗଡ଼ ଜିଲ୍ଲାର କେତେକ ହିତାଧିକାରୀ ପ୍ରଶାସନ ନିକଟରେ ଆବେଦନ କରିଥିଲେ। ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ୧୦ ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆସିଥିବା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।

ଏହାସହ କେତେକ ହିତାଧିକାରୀ ଅତ୍ୟାଧୁନିକ ଫିଜିଓଥେରାପି ସେବା ସମ୍ପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ସେମାନଙ୍କୁ ସୁନ୍ଦରଗଡ଼ ମେଡିକାଲ କଲେଜ ଏବଂ ହସପିଟାଲରେ ଥିବା ଥେରାପ୍ୟୁଟିକ ସର୍ଭିସ ସେଣ୍ଟର ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ରହିଥିବା ସମନ୍ୱିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ରକୁ ଯିବା ପାଇଁ ପରାମର୍ଶ ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭୈରବ ସିଂ ପଟେଲ, ଏଏସପି ଉଗ୍ରସେନ ପ୍ରଧାନ, ଏଡିଏମଓ ପୂର୍ଣ୍ଣଚନ୍ଦ୍ର ସାହୁ, ଡେପୁଟି କଲେକ୍ଟର (ଜରୁରୀକାଳୀନ) କୁନ୍ତୀରାଣୀ ନାଏକ, ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରବାସିନୀ ଚକ୍ର, ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.