ସ୍ୱାସ୍ଥ୍ୟ ସେବା ର ଉନ୍ନତି ଲାଗି ସରକାର ବହୁ ପଦକ୍ଷେପ ନେଉଛନ୍ତି। ବିଶେଷ କରି ଗର୍ଭବତୀ ମହିଳା ଏବଂ ଶିଶୁଙ୍କ ଲାଗି। ରୋଗୀଙ୍କୁ ଠିକ ସମୟରେ ହସପିଟାଲ ପହଞ୍ଚାଇବାକୁ ୧୦୮ ନମ୍ବର ଆମ୍ବୁଲାନ୍ସ ମଧ୍ୟ ବ୍ୟବସ୍ଥା କରାଯାଉଛି। ସୂଚନା ମିଳିଲେ ଠିକ ସମୟରେ ମଧ୍ୟ ଆମ୍ବୁଲାନ୍ସ ବାହାରୁଛି। ମାତ୍ର ଗମନାଗମନ ସୁବିଧା ନଥିବାରୁ ରୋଗୀଙ୍କ ପାଖରେ ଆମ୍ବୁଲାନ୍ସ ପହଞ୍ଚି ପାରୁନାହିଁ । ଏପରି ଏକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାରେ।
ଜିଲ୍ଲାର ଲହୁଣୀପଡ଼ା ବ୍ଲକ ଅନ୍ତର୍ଗତ ଶଙ୍ଖାପୋଷ ପଞ୍ଚାୟତ ରେ। ରାମେଶ୍ବର ମୁଣ୍ଡାଙ୍କ ସ୍ତ୍ରୀଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ୧୦୮ ଆମ୍ବୁଲାନ୍ସ କୁ ଫୋନ୍ କରାଯାଇଥିଲା। ଆମ୍ବୁଲାନ୍ସ ଆସିଥିଲା ହେଲେ ରାସ୍ତା ନଥିବାରୁ ଗାଁ ରେ ଆମ୍ବୁଲାନ୍ସ ପହଞ୍ଚି ପାରିଲାନି। ଲକ୍ଷ୍ମୀଙ୍କ ସ୍ଵାମୀ କିଛି ଉପାୟ ନପାଇ ଗ୍ରାମବାସୀ ମାନଙ୍କୁ ଡାକି ତାଙ୍କୁ ଏକ ଖଟିଆରେ ତିନି କିଲୋମିଟର ନେଇ ଆମ୍ବୁଲାନ୍ସ ପାଖରେ ପହଞ୍ଚିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ରାଉରକେଲା ଅଣା ଯାଇଥିଲା। ମାତ୍ର ରାଉରକେଲାରେ ଉକ୍ତ ମହିଳା ଏକ ମୃତ ଶିଶୁକୁ ଜନ୍ମ ଦେଇଥିଲେ ।
ଏବେ ସୁନ୍ଦରଗଡ଼ରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଏହି ଅର୍ଥର ସଦୁପଯୋଗ କରି ଜିଲ୍ଲାର ଦୁର୍ଗମ ଅଞ୍ଚଳକୁ ଗମନାଗମନ ସୁବିଧା କରିବାକୁ ଦାବି ହେଉଛି।