ରାଉରକେଲା: ଆସନ୍ତା ୨୦୨୩ ଜାନୁଆରି ୧୩ରେ ସ୍ମାର୍ଟସିଟି ରାଉରକେଲା ହେବାକୁ ଯାଉଛି ପୁରୁଷ ବିଶ୍ବ ହକି ମ୍ୟାଚ୍। ଷ୍ଟାଡିୟମ ନିର୍ମାଣ ଠାରୁ ଆରମ୍ଭ କରି ସହରର ସୌନ୍ଦର୍ଯ୍ୟକରଣ କାମ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ହକି ବିଶ୍ବ କପ୍ କୁ ଦୃଷ୍ଟିରେ ରଖି କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ଭୁବନେଶ୍ବର, କଟକ ଓ ପୁରୀ ପରେ ଏହି ସେବା ରାଉରକେଲାକୁ ସମ୍ପ୍ରସାରଣ କରିବାକୁ ଯାଉଛି। ହକି ବିଶ୍ୱ କପ୍ ପୂର୍ବରୁ ଅର୍ଥାତ୍ ଆସନ୍ତା ଡିସେମ୍ବରରେ ସହରରେ ଗଡ଼ିବାକୁ ଯାଉଛି। ସହରବାସୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପାଖାପାଖି ୧୦୦ଟି ‘ ମୋ ବସ୍’ ଚାଲିବ। ଏଥି ମଧ୍ୟରେ ରହିଛି ୭୦ ଏସ୍ସି ଓ ୩୦ଟି ନନ୍ ଏସି ବସ୍। ଏଥିପାଇଁ କ୍ରୁଟ ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଛି। ଆସନ୍ତା ୨୮ ତାରିଖ ଟେଣ୍ଡର ଆହ୍ବାନ ଶେଷ ତାରିଖ ରହିଛି। ଏହି ବସ୍ଗୁଡ଼ିକ ରାଉରକେଲାରୁ ଝାରସୁଗୁଡା, ରାଉରକେଲାରୁ ବଣାଇ, ବିଶ୍ରା, ବୀରମିତ୍ରପୁର, କୁଆରମୁଣ୍ଡା, ଗୁରୁଣ୍ଡିଆ, ରାଜଗାଙ୍ଗପୁର, ନୂଆଗାଁ ସମେତ ଜିଲ୍ଲାର ପ୍ରତେକ ବ୍ଲକକୁ ଚାଲିବାର ଯୋଜନା ରହିଛି। ସେପଟେ ପୂର୍ବରୁ ସୁନ୍ଦରଗଡ଼ ଅର୍ବାନ ଟ୍ରାନ୍ସପୋର୍ଟ ଟ୍ରଷ୍ଟ (ସୁଟ୍) ପକ୍ଷରୁ ଚାଲିଥିବା ୩୦ ସିଟି ବସ୍ ସେବାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବାକୁ ମଧ୍ୟ ଯୋଜନା ରହିଥିବା ଜଣାପଡିଛି। ସୁଟ୍ ପକ୍ଷରୁ ଚାଲିଥିବା ୩୦ଟି ବସ୍ରୁ ୬ଟି ବସ୍ ନୂଆ ବସ୍ଷ୍ଟାଣ୍ଡରେ ସମ୍ପୂର୍ଣ୍ଣ ଅକାମି ହୋଇ ପଡିଛି। ଅବଶିଷ୍ଟ ୨୪ଟି ବସ୍ ଚାଲୁଛି। ଚାଲୁଥିବା ଏହି ୨୪ ବସ୍କୁ ସରକାରଙ୍କୁ ହସ୍ତାନ୍ତର କରି ଦିଆଯିବ। ହକିର ଅନ୍ତୁଡିଶାଳ ସୁନ୍ଦରଗଡ଼ ଜିଲ୍ଲାରେ ଉପାନ୍ତ ବ୍ଲକରେ ହକି ପ୍ରେମୀ ଓ ଖେଳାଳୀମାନଙ୍କ ଯାତାୟତରେ ସମସ୍ୟା ଦୂର ଓ ସହରବାସୀଙ୍କ ଚାହିଦାକୁ ଦୃଷ୍ଟିରେ ‘ ମୋ ବସ୍’ ସେବା ଆରମ୍ଭ ହେବାକୁ ଯାଉଥିବା କୁହାଯାଉଛି। ବିଶ୍ବ ହକି ପରେ ଚାଲିବାକୁ ଥିବା ‘ମୋ ବସ୍’ ଠିକ୍ ଭାବେ ଚାଲିବ ତ ତାକୁ ନେଇ ମଧ୍ୟ ସହରବାସୀଙ୍କ ମଧ୍ୟରେ ଦ୍ବନ୍ଦ ସୃଷ୍ଟି ହୋଇଛି। କାରଣ ପୂର୍ବରୁ ସିଟି ବସ୍ ସେବା ସହରବାସୀ ଯାତାୟତରେ ବେଶ୍ ସହାୟକ ହେବ ବୋଲି କୁହାଯାଇଥିଲା। ବିଡମ୍ବନା, ସିଟି ବସ୍ ସହରବାସୀଙ୍କୁ ଯେତିକି ସେବା ଦେବା କଥା, ତା’ ଦେଇ ପାରିଲା ନାହିଁ। ସେମିତି ଗତ ପ୍ରାୟ ୪ ମାସ ତଳେ ରାଉରକେଲାରୁ ଝାରସୁଗୁଡା ବିମାନ ବନ୍ଦର ପର୍ଯ୍ୟନ୍ତ ଚାଲିବାକୁ ଦୁଇଟି ଭଲ୍ବୋ ବସ୍ ଆସି ପଡିଛି। କେବେ ଚାଲିବ କାହାରି ପାଖରେ ଉତ୍ତର ନାହିଁ। ବାଙ୍ଗାଲୋରରୁ ଆସିଥିବା ଦୁଇଟି ବସ୍ ବାବଦରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍)ପାଣ୍ଠିରୁ ପ୍ରାୟ ୨ କୋଟି ୫୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଅର୍ଥାତ୍ ଗୋଟିଏ ବସ୍କୁ ୧ କୋଟି ୨୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ପ୍ରଥମ ବସ୍ ପୂର୍ବାହ୍ନ ୯ଟା ଓ ଦ୍ବିତୀୟ ବସ୍ ଅପରାହ୍ନ ୨ଟାରେ ରାଉରକେଲାରୁ ବାହାରିବ। ପ୍ରଥମ ବସ୍ ଯାଉଥିବା ବିମାନ ଯାତ୍ରୀମାନେ ଝାରସୁଗୁଡା ବିମାନ ବନ୍ଦରରୁ ଅପରାହ୍ନ ୧ଟା ୫ ମିନିଟ୍ ଓ ୧ଟା ୨୫ ମିନିଟ୍ରେ ବିମାନରେ ଯାତ୍ରା କରିବେ। ସେମିତି ଅପରାହ୍ନ ୨ଟା ଯାଉଥିବା ବିମାନଯାତ୍ରୀମାନେ ସଂଧ୍ୟା ୬ଟା ୦୫ ମିନିଟ୍, ୬ଟା ୧୫ ମିନିଟ୍, ୬ ଟା ୪୫ ମିନିଟ୍ ଛାଡୁଥିବା ଏମିତି ୪ଟି ବିମାନରେ ଯାତ୍ରା କରିପାରିବେ। ରାଉରକେଲାରୁ ଝାରସୁଗୁଡା ପର୍ଯ୍ୟନ୍ତ ଜଣେ ଯାତ୍ରୀ ପିଛା ବସ୍ ଭଡା ରହିଛି ପାଖାପାଖି ୩୦୦ ଟଙ୍କା। ଦିନକୁ ମାତ୍ର ଥର ଚାଲିବାକୁ ଏହି ଦୁଇଟି ବସ୍କୁ ସୁନ୍ଦରଗଡ଼ ଅର୍ବାନ ଟ୍ରାନ୍ସପୋର୍ଟ ଟ୍ରଷ୍ଟ (ସୁଟ୍)କୁ ହସ୍ତାନ୍ତର କରାଯାଇଛି। ବର୍ତ୍ତମାନ ବସ୍ ଦୁଇଟି ରାଉରକେଲା ମହାନଗର ନିଗମ (ଆର୍ଏମ୍ସି) ଅଧୀନରେ ରହିଛି। ବସ୍ ରାଉରକେଲାରେ ପହଞ୍ଚିବା ପରେ ୧୫ ଦିନ ମଧ୍ୟରେ ଚାଲିବ ବୋଲି ସହରବାସୀଙ୍କୁ କୁହାଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଗଡ଼ିନି।