ଶାରଦୀୟ ପୂଜା ଏବଂ ହକି ବିଶ୍ବକପ୍କୁ ନଜରରେ ରଖି ଶନିବାର ରାଉରକେଲା ମହାନଗର ନିଗମ ସଭାଗୃହରେ ଖାଦ୍ୟ ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାଉରକେଲା ମହାନଗର ନିଗମ କମିଶନର ଡକ୍ତର ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସ୍ବଚ୍ଛତା, ରୋଷେଇ ଏବଂ ଅନ୍ୟ କାର୍ଯ୍ୟ ପାଇଁ ବ୍ୟବହାର ହେଉଥିବା ଜଳର ଉତ୍ସ, ଖାଦ୍ୟ ପ୍ରସ୍ତୁତି ଶୈଳୀ ଆଦି ଉପରେ ଗୁରୁତ୍ବ ଦିଆଯାଇଥିଲା। ଅନ୍ୟପକ୍ଷରେ ରାଉରକେଲା ମହାନଗର ନିଗମର ସହର ସ୍ବାସ୍ଥ୍ୟ ଅଧିକାରୀ ଡକ୍ତର ସୁଶୀଳ କୁମାର ପରିଡ଼ା ଉପସ୍ଥିତ ରହି ହୋଟେଲ ଓ ରେଷ୍ଟୁରାଣ୍ଟ ପରିସର ସଫା ରଖିବା, ଖାଦ୍ୟର ମାନ ଯାଞ୍ଚ କରିବା ଉପରେ ପରାମର୍ଶ ଦେଇଥିଲେ। ଏହାସହ ନିୟୋଜିତ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ଉପରେ ଗୁରୁତ୍ବାରୋପ କରିଥିଲେ। ଏହାସହିତ ରାଉରକେଲା ମହାନଗର ନିଗମର ପରାମର୍ଶଦାତା ପ୍ରଶାନ୍ତ ନାୟକ ଆଗାମୀ ହକି ବିଶ୍ବକପ୍ ଅବସରରେ ରାଉରକେଲାର ଆତିଥ୍ୟ ସମସ୍ତ ଅତିଥିଙ୍କ ପାଇଁ କିଭଳି ସ୍ମରଣୀୟ ହୋଇପାରିବ ସେ ଉପରେ ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆରଏମ୍ସି ଖାଦ୍ୟ ନିରାପତ୍ତା ଅଧିକାରୀ, ହୋଟେଲ ଓ ରେଷ୍ଟୁରାଣ୍ଟ ଆସୋସିଏସନର ସଭାପତି ଓ ସାଧାରଣ ସମ୍ପାଦକଙ୍କ ସମେତ ଆସୋସିଏସନର ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟ ମାଲିକ ଉପସ୍ଥିତ ଥିଲେ।