ସୁନ୍ଦରଗଡ଼ : ମାତାଲ ଅବସ୍ଥାରେ ସ୍କୁଲ କ୍ଲାସ ରୁମରେ ଆସି ଶୋଇଲେ ମଦ୍ୟପ ସାର।। ଶେଷରେ ମଦ୍ୟପ ସାରଙ୍କୁ ମାଡ଼ ମାରି ପୁଅ ନେଇଗଲେ ସ୍କୁଲରୁ।
ମାତାଲ୍ ଅବସ୍ଥାରେ ସ୍କୁଲକୁ ଆସିବା ବେଶ ମହଙ୍ଗା ପଡିଛି ସାରଙ୍କୁ। ମନ୍ଦିର ଭଳି ଶିକ୍ଷାନୁଷ୍ଠାନରେ ବାପର ଏ କାରବାର ଦେଖି ପୁଅ ଆଉ ସମ୍ଭାଳି ପାରିଲା ନାହିଁ। ଆଜି ବାପାକୁ ସାବାଡ୍ କରିବାକୁ ମନସ୍ଥ କଲେ ପୁଅ। ମଦ ନିଶାରେ ସ୍କୁଲ ଶ୍ରେଣୀ ଗୃହରେ ଶୋଇଥିବା ବେଳେ ନିର୍ଧୂମ ପିଟିଲେ ତାଙ୍କ ସାର ବାପାଙ୍କୁ। ଗୋଇଠା ବିଧା ମାରିଲେ। ତା’ପରେ ତାଙ୍କୁ ସାଙ୍ଗରେ ଘରକୁ ନେଇଗଲେ। ଆଜି ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ଲେପ୍ରିପଡ଼ା ବ୍ଲକ ଅଞ୍ଚଳରେ।
ଲେଫ୍ରିପଡା ବ୍ଲକ୍ କୁଲାବିରା ଗାଁରେ ରହିଛି କିସାନ ପଡ଼ା ପ୍ରାଥମିକ ବିଦ୍ୟାଳୟ। ଏହି ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ହେଉଛନ୍ତି ସୁନୀତା ପାଣ୍ଡେ ଓ ସହକାରୀ ଶିକ୍ଷକ ପ୍ରଦୀପ କୁମାର ପଟେଲ୍। ଗତ କିଛିଦିନ ହେଲା ଲଗାତର ଭାବେ ସହକାରୀ ଶିକ୍ଷକ ପ୍ରଦୀପ କୁମାର ପଟେଲ୍ ମଦ୍ୟ ପାନ କରି ସ୍କୁଲ ଆସୁଥିଲେ। ଆଉ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ସହିତ ଅଶ୍ଲୀଳ ଭାଷାରେ ଗାଳି ଦେଉଥିଲେ। ପ୍ରଧାନଶିକ୍ଷୟିତ୍ରୀ ପ୍ରତିବାଦ କଲେ ତାଙ୍କୁ ମଧ୍ୟ ସେ ଗାଳି ଦେଉଥିବା ଅଭିଯୋଗ ହୋଇଛି।
ଶିକ୍ଷକ ଶ୍ରୀ ପଟେଲ୍ ଆଜି ମଦ ନିଶାରେ ସ୍କୁଲ ଆସିଥିଲେ। ଶିକ୍ଷକଙ୍କ ଏପରି ଅବସ୍ଥା ଦେଖି କ୍ଲାସ୍କୁ ନଯିବା ପାଇଁ ପ୍ରଧାନଶିକ୍ଷୟିତ୍ରୀ କହିଥିଲେ। ମାତ୍ର ସେ ଜବରଦସ୍ତ କ୍ଲାସ୍ ଭିତରକୁ ଯାଇ ପିଲାଙ୍କୁ ଗାଳି ଦେଇଥିଲେ। ଠିକ୍ ସେହି ସମୟରେ ଶ୍ରୀ ପଟେଲ୍ଙ୍କ ପୁଅ ସ୍କୁଲକୁ ଆସିଥିଲେ। ଆଉ ତାଙ୍କ ବାପାଙ୍କୁ ଖୋଜିଥିଲେ। ପ୍ରଧାନଶିକ୍ଷୟିତ୍ରୀ ତାଙ୍କୁ ଶ୍ରେଣୀ ଗୃହକୁ ପଠାଇଥିଲେ। ସେଠାରେ ମଦ ନିଶାରେ ଥିବା ପଟେଲ୍ ସାରଙ୍କୁ ତାଙ୍କ ପୁଅ ଗୋଇଠା ଓ ବିଧା ମାରି ସାଥୀରେ ନେଇଯାଇଥିଲେ।
ଏହି ମଦ୍ୟପ ଶିକ୍ଷକଙ୍କ ଅମାନବନୀୟ କାର୍ଯ୍ୟକଳାପ ଲାଗି ତାଙ୍କ ବିରୁଦ୍ଧରେ ଵିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଆଲୋଚନା ଚାଲିଛି।