ରାଉରକେଲା ସ୍ୱାସ୍ଥ୍ୟବ୍ୟବସ୍ଥାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସାର୍ଟିଫିକେଟ।। ତିଲକାନଗର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୁଣବତ୍ତା ପ୍ରମାଣପତ୍ର।

0 297

posted by SatyaNews
ରାଉରକେଲା, ୨୯ ସେପ୍ଟେମ୍ବର ୨୦୨୨; ରାଉରକେଲା ସ୍ଥିତ ତିଲକାନଗର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ୟୁପିଏଚସି)କୁ ବଡ଼ ସଫଳତା। ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ନ୍ୟାସନାଲ କ୍ବାଲିଟି ଆସ୍ୟୁରାନ୍ସ ଷ୍ଟାଣ୍ଡାର୍ଡସ୍ (NQAS) କାର୍ଯ୍ୟକ୍ରମ ଅଧୀନରେ ଏହି ସ୍ବାସ୍ଥ୍ୟ କେନ୍ଦ୍ରକୁ ମିଳିଛି ଗୁଣବତ୍ତା ପ୍ରମାଣପତ୍ର । ରାଜ୍ୟର ମୋଟ ୫ ଗୋଟି ସ୍ବାସ୍ଥ୍ୟକେନ୍ଦ୍ରକୁ ଏହି ସଫଳତା ମିଳିଥିବା ବେଳେ ୯୬.୨୦ ପ୍ରତିଶତ ପଏଣ୍ଟ ସହ ତିଲକାନଗର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ସର୍ବାଗ୍ରେ ରହିଛି। ଏଭଳି ଉଲ୍ଲେଖନୀୟ ସଫଳତା ପାଇଁ ରାଉରକେଲା ମହାନଗର ନିଗମ ଆୟୁକ୍ତ ଡ. ଶୁଭଙ୍କର ମହାପାତ୍ର ତିଲକାନଗର ସ୍ବାସ୍ଥ୍ୟକେନ୍ଦ୍ରର ସମ୍ପୂର୍ଣ୍ଣ ଟିମ ଏବଂ ରାଉରକେଲା ବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତିଲକାନଗର ସ୍ବାସ୍ଥ୍ୟ କେନ୍ଦ୍ରର ପୂରା ଟିମ୍ ଏଭଳି କାର୍ଯ୍ୟଧାରା ଜାରି ରଖିବେ ବୋଲି ଆଶା ବ୍ୟକ୍ତ କରିବା ସହ ଅନ୍ୟ ସ୍ବାସ୍ଥ୍ୟ କେନ୍ଦ୍ରମାନେ ପ୍ରେରଣା ପାଇବା ସହ ଏହି ଦିଗରେ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି।
ଗତ ଅଗଷ୍ଟ ମାସ ୨୪ ତାରିଖରେ ଡ. ଉଦ୍ଦୀପନା ଦତ୍ତଙ୍କ ନେତୃତ୍ବରେ ଏକ ଟିମ୍ ଦିଲ୍ଲୀରୁ ଆସି ତିଲକାନଗର ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ। ସେଠାରେ ସେମାନେ ରୋଗୀମାନେ ପାଉଥିବା ସ୍ବାସ୍ଥ୍ୟସେବାର ମାନ ସମ୍ପର୍କରେ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କଠାରୁ ପଚାରି ବୁଝିଥିଲେ। ଏହା ସହିତ ମେଡିକାଲର ବିଭିନ୍ନ ରେକର୍ଡ ଯାଞ୍ଚ କରିବା ସହ କର୍ମଚାରୀଙ୍କ ସହ କଥା ହୋଇଥିଲେ। ସ୍ତ୍ରୀ ଓ ପ୍ରସୂତି ବିଭାଗ , ଫିଜିଓଥେରାପି, ଚକ୍ଷୁ, କାନ, ନାକ ଓ ଗଳା, ଶିଶୁ ବିଭାଗ ଭଳି ମୋଟ ୧୨ ଗୋଟି ବିଭାଗରେ ଦିଆଯାଉଥିବା ଚିକିତ୍ସା ସୁବିଧା ସମ୍ପର୍କରେ ଅନୁଧ୍ୟାନ କରିଥିଲା ଟିମ୍। ଏହା ପରେ ଟିମ୍ ସ୍ଥାନୀୟ ଜନବସତିକୁ ଯାଇ ସ୍ବାସ୍ଥ୍ୟକେନ୍ଦ୍ରରେ ଯୋଗାଇ ଦିଆଯାଉଥିବା ସୁବିଧା ଗୁଡ଼ିକ ସମ୍ପର୍କରେ ଲୋକଙ୍କୁ ପଚାରି ବୁଝିଥିଲେ । ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କ ଆଚରଣ ଏବଂ ଉଚ୍ଚାରଣ ସମ୍ପର୍କରେ ମଧ୍ୟ ଲୋକଙ୍କ ମତାମତ ନେଇଥିଲେ । ଦୁଇଦିନ ଧରି ଚାଲିଥିବା ଏହି ଅନୁଧ୍ୟାନ ଓ ଆକଳନ ଆଧାରରେ ତିଲକାନଗର ସ୍ବାସ୍ଥ୍ୟକେନ୍ଦ୍ରକୁ ଗୁଣବତ୍ତା ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଏ ନେଇ କେନ୍ଦ୍ରୀୟ ଅତିରିକ୍ତ ସଚିବ ତଥା ମିଶନ ନିର୍ଦ୍ଦେଶିକା (ଜାତୀୟ ସ୍ବାସ୍ଥ୍ୟ ମିଶନ) ରୋଲି ସିଂ ପତ୍ର ଲେଖି ଅବଗତ କରାଇଛନ୍ତି। ଏଭଳି ସଫଳତା ପାଇବା ପରେ ଖୁସିବ୍ୟକ୍ତ କରିଛନ୍ତି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ମେଡିକାଲ ଅଫିସର ଡ. ପ୍ରେମେସ୍ ମିଶ୍ର। ଏ ନେଇ ସ୍ବାସ୍ଥ୍ୟକେନ୍ଦ୍ରର ଅନ୍ୟ ସମସ୍ତ ଡାକ୍ତର, ସ୍ବାସ୍ଥ୍ୟ କର୍ମୀଙ୍କୁ ସାବାସି ଜଣାଇବା ସହ ଏହା ସେମାନଙ୍କ ପାଇଁ ଏକ ବଡ଼ ପ୍ରେରଣା ଏବଂ ଏଭଳି କାର୍ଯ୍ୟ ସେମାନେ ଆଗକୁ ମଧ୍ୟ ଜାରି ରଖିବେ ବୋଲି ସେ କହିଛନ୍ତି। ଏହା ସହିତ ପ୍ରଶାସନର ସମସ୍ତ ସହଯୋଗ ଲାଗି ରାଉରକେଲା ମହାନଗର ନିଗମ ଆୟୁକ୍ତ ଡ. ଶୁଭଙ୍କର ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (CDMO) ଡ. ସରୋଜ କୁମାର ମିଶ୍ର ଓ ଅତିରିକ୍ତ ଜିଲ୍ଲା ସହରାଞ୍ଚଳ ଜନସ୍ବାସ୍ଥ୍ୟ ଅଧିକାରୀ (ADUPHO) ଡ.ପୁଷ୍ପମିତ୍ରା ମିଶ୍ରଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave A Reply

Your email address will not be published.