ରାଉରକେଲା : ମିଳିଲା ରମେଶଙ୍କ ସୁଇସାଇଡ଼ ନୋଟ।। ୧୨ ତାରିଖରେ ଲେଖା ହୋଇଛି ନୋଟ।। ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ବୋଲି ଉଲ୍ଲେଖ ରହିଛି।
“ମୋର ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି। ଜୀବନ ପ୍ରତି ବୀତସ୍ପୃହ ହୋଇ ମୁଁ ଆତ୍ମହତ୍ୟା କରୁଛି। ମୋର ଭୁଲ ନିଷ୍ପତ୍ତି ଯୋଗୁଁ ପରିବାର ଦୂରେଇ ଗଲେ। ମୋ ଲାଗି କେହି ହଇରାଣ ନହୁଅନ୍ତୁ” , ଏ କଥା ତାଙ୍କ ସୁଇସାଇଡ଼ ନୋଟ ରେ ଲେଖିଛନ୍ତି ରାଉରକେଲା ଓକିଲ ସଙ୍ଘର ପୂର୍ବତନ ସଭାପତି ରମେଶ ବଳ। ତେବେ ସୁଇସାଇଡ଼ ନୋଟ ରେ ତାରିଖ ପଡିଛି ୧୨ ସେପ୍ଟେମ୍ବର। ଏଥିରୁ ଜଣାପଡୁଛି ଯେ ସେ ବହୁ ଆଗରୁ ଆତ୍ମହତ୍ୟା ଲାଗି ନିଷ୍ପତ୍ତି ନେଇଥିଲେ। ତେବେ ଏହି ଆତ୍ମହତ୍ୟାର ସଠିକ ତଦନ୍ତ କରିବାକୁ ଦାବି କରିଛନ୍ତି ରାଉରକେଲା ଓକିଲ ସଂଘର କର୍ମକର୍ତ୍ତା।
ସୂଚନାଯୋଗ୍ୟଯେ ସୋମବାର ରାତିରେ ଡେଲି ମାର୍କେଟ ବାସଭବନରେ ରମେଶ ବଳ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଥାନାରେ ସୂଚନା ଦିଆଯାଇଥିଲା। ସେହି ଅନୁସାରେ ପୋଲିସ ଏକ ଅପମୃତ୍ୟୁ ମାମଲା ରଜ୍ଜୁ କରି ତଦନ୍ତ କରୁଛନ୍ତି।
ରମେଶ ଙ୍କ ମୃତ୍ୟୁ ଖବର ଶୁଣି ସହରର ବହୁ ଓକିଲ , ବୁଦ୍ଧିଜୀବୀ , ସ୍ଥାନୀୟ ଲୋକମାନେ ତାଙ୍କ ବାସଭବନ ନିକଟରେ ସକାଳେ ରୁଣ୍ଡ ହୋଇଥିଲେ। ତାଙ୍କ ଭଳି ଟାଣୁଆ ଲୋକ ଆତ୍ମହତ୍ୟା କରିଥିବା କେହି ବିଶ୍ୱାସ କରି ପାରୁନଥିଲେ ।