ରାଉରକେଲା ମାଲଗୋଦାମ ନିକଟରେ ପ୍ରସ୍ତାବିତ ରେଲୱେ ଓଭର ବ୍ରିଜ ର ନିର୍ମାଣ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସୋମବାର ଦିନ ପୂର୍ତ୍ତ ବିଭାଗ ଅଧିକାରୀ ଏବଂ ରେଳବାଇ ଅଧିକାରୀ ମାନେ ମାଲଗୋଦାମ ଅଞ୍ଚଳ ରେ ରେଲୱେ ଓଭର ବ୍ରିଜ ନିର୍ମାଣ ଲାଗି ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଥିଲେ । ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ଜମି ଚିହ୍ନଟ ପ୍ରକ୍ରିୟା ସମ୍ପନ୍ନ ହୋଇଛି ।
ମାଲଗୋଦାମ ଲେଭଲ କ୍ରସିଂ ଦେଇ ପ୍ରତିଦିନ ଶହ ଶହ ଲୋକ ବାସନ୍ତୀ କଲୋନୀ , ରେଳବାଇ କଲୋନୀ , ମଧୁସୂଦନପାଲି , ମାଲଗୋଦାମ , ଗୋପବନ୍ଧୁପାଲି ଆଦି ଅଞ୍ଚଳକୁ ଯାଇଥାନ୍ତି। ଘଣ୍ଟା ଘଣ୍ଟା ଧରି ଲେଭଲ କ୍ରସିଂ ବନ୍ଦ ରହୁଥିବାରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏବେ ରେଲୱେ ଓଭର ବ୍ରିଜ ହେଲେ ଏହି ଅଞ୍ଚଳର ଲୋକମାନଙ୍କ ଦୁଃଖ ଦୂର ହେବ । ପୂର୍ବରୁ ରାଉରକେଲା ରେ ବାସନ୍ତୀ କଲୋନୀ , ଏସ ଟି ଆଇ ଏବଂ
ଆଇ ଟି ଆଇ ରେଲୱେ ଓଭର ବ୍ରିଜ କାର୍ଯ୍ୟକ୍ଷମ ହୋଇଥିବା ବେଳେ ପ୍ରସ୍ତାବିତ କଲୁଙ୍ଗା ଏବଂ କୁକୁଡ଼ା ଗେଟ ଫ୍ଲାଇ ଓଭର କାମ ଆରମ୍ଭ ହୋଇନାହିଁ । ମାଲଗୋଦାମ ନିକଟରେ ରେଲୱେ ଓଭର ବ୍ରିଜ ନିର୍ମାଣ ଦାବି ବହୁ ଦିନରୁ ହୋଇ ଆସୁଥିବା ବେଳେ ଏବେ ଜମି ଚିହ୍ନଟ ପ୍ରକ୍ରିୟା ଲୋକଙ୍କ ମନରେ ଓଭର ବ୍ରିଜ ନିର୍ମାଣ ନେଇ ଆଶା ସଞ୍ଚାର କରିଛି ।