ସୁନ୍ଦରଗଡ଼ ପୌରପାଳିକା ପକ୍ଷରୁ ସର୍ବଭାରତୀୟ ସ୍ଵାୟତ୍ତ ଶାସନ ଦିବସ ପାଳନ କରାଯାଇଛି। ଏହି ଅବସରରେ ସୁନ୍ଦରଗଡ଼ ସହରରେ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।
ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ସୁନ୍ଦରଗଡ଼ର ମାଦ୍ରିକାଲୋ ଭବନଠାରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ଘଡ଼ାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ମାନ୍ୟବର ମନ୍ତ୍ରୀ କହିଥିଲେ, ‘‘ସହରାଞ୍ଚଳଗୁଡ଼ିକର ବ୍ୟାପକ ବିକାଶ ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଇ ଆସୁଛନ୍ତି। ସୁନ୍ଦରଗଡ଼ ପୌରପାଳିକାରେ ମଧ୍ୟ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସହିତ ଜାଗା ମିଶନ ଅଧୀନରେ ବସ୍ତି ରୂପାନ୍ତରଣ, ଆଲୋକୀକରଣ, ରାସ୍ତାଘାଟର ଉନ୍ନତିକରଣ ସହିତ ପରିମଳ ପରିଚାଳନା ଏବଂ ମୁକ୍ତା ଯୋଜନା ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି।’’
ସୁନ୍ଦରଗଡ଼ ସହରର ମହେଶଡିହିଠାରେ ମିଶନ ଶକ୍ତି ଗୃହ, ଲୁହୁରାଢିପାଠାରେ ୫୦ ଶଯ୍ୟା ବିଶିଷ୍ଟ ଆଶ୍ରୟ କେନ୍ଦ୍ର ଓ ପରିଚୟ ଗୃହ, ଡିଆରଡିଏ ଛକଠାରେ ‘ଆମର୍ ସୁନ୍ଦରଗଡ଼’ ଏବଂ ‘ଆଇ ଲଭ୍ ସୁନ୍ଦରଗଡ଼’ ସେଲଫି କଟଆଉଟ୍, ସୁନ୍ଦରଗଡ଼ର ପ୍ରବେଶ ପଥରେ ନିର୍ମିତ ହୋଇଥିବା ସ୍ଵାଗତ ତୋରଣର ଉଦଘାଟନ କରାଯାଇଛି। ସେହିପରି ସୁନ୍ଦରଗଡ଼ର ସମସ୍ତ ଆହାର କେନ୍ଦ୍ର ଲାଗି ଏକ ରୋଷେଇ ଘର ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ର ମାନ୍ୟବର ବିଧାୟିକା ଶ୍ରୀମତୀ କୁସୁମ ଟେଟେ, ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନୟ ଟପ୍ପୋ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ପୌରପାଳିକାର ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଲଲାଟେନ୍ଦୁ ପରିଡ଼ା, ସୁନ୍ଦରଗଡ଼ ପୌରପାଳକିାର ପୂର୍ବତନ ନଗରପାଳ ଶ୍ରୀଯୁକ୍ତ ରାଜକିଶୋର ଷଡ଼ଙ୍ଗୀ, ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ରାମକୃଷ୍ଣ ଗଣ୍ଡଙ୍କ ସମେତ ବିଭିନ୍ନ ୱାର୍ଡର କାଉନସିଲର ପ୍ରମୁଖ ଉପସ୍ଥିତ ଥିଲେ।
ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ସକାଳୁ ସୁନ୍ଦରଗଡ଼ ସହର ଭିତରେ ରାମଧୂନ ପରିବେଷଣ କରାଯିବା ସହ ପୌରପାଳିକା କାର୍ଯ୍ୟାଳୟଠାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ସହର ମଧ୍ୟରେ ଥିବା ବିଭିନ୍ନ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।
ଏହି ଅବସରରେ ସୁନ୍ଦରଗଡ଼ର ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା। କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ୬ ଜଣ ଶ୍ମଶାନ ବନ୍ଧୁଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା।
ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଏବଂ ବୀରମିତ୍ରପୁର ପୌରପାଳିକାରେ ମଧ୍ୟ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଇଛି। ବୀରମିତ୍ରପୁର ପୌରପାଳିକା ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ରାଉରକେଲାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୌରପାଳିକା ଅଧ୍ୟକ୍ଷ ସନ୍ଦୀପ ମିଶ୍ର ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ବିତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ପାର୍କ ନିର୍ମାଣ ପାଇଁ ଜମି ପ୍ରଦାନ କରିଥିବା ସ୍ଥାନୀୟ ଜନସାଧାରଣ ଏବଂ ସର୍ବାଧିକ ଟିକସଦାତାଙ୍କୁ ପୌରପାଳିକା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଭିନ୍ନ ବିଦ୍ୟାଳୟରେ ହୋଇଥିବା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହାସହ ଚଳିତ ମାଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।
ସେହିପରି ରାଜଗାଙ୍ଗପୁରଠାରେ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ମେଥେଦିୟୁସ ଲାକ୍ରାଙ୍କ ଉପସ୍ଥିତିରେ ପୌରାଧ୍ୟକ୍ଷା ମାଧୁରୀ ଲୁଗୁନ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ପୌରପାଳିକାର ବିଭିନ୍ନ ବିଭାଗର ଅଧିକାରୀ ତଥା ପରିମଳ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା।