ମହନଗର ନିଗମ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ।। ସ୍ଵଛ , ସୁନ୍ଦର ଏବଂ ସବୁଜ ରାଉରକେଲା ଗଠନ ନେଇ କମିଶନରଙ୍କ ଆହ୍ୱାନ।
ରାଉରକେଲା, ୩୧ ଅଗଷ୍ଟ ୨୦୨୨: ରାଉରକେଲା ମହାନଗର ନିଗମ ପକ୍ଷରୁ ଧୁମଧାମର ସହ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମହାନଗର ନିଗମ ପକ୍ଷରୁ ସଚେତନତା ଶୋଭାଯାତ୍ରା, ସ୍ବାସ୍ଥ୍ୟପରୀକ୍ଷଣ ଶିବିର, ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ପରିଶ୍ରାଗାରର ଲୋକାର୍ପଣ, ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପର ଉଦଘାଟନ, ବନ୍ଧୁତ୍ବପୂର୍ଣ୍ଣ ଫୁଟବଲ ମ୍ୟାଚ୍ ଓ ରଙ୍ଗୋଲୀ ପ୍ରତିଯୋଗିତା ଭଳି କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା। ବିଶେଷକରି ଆସନ୍ତାବର୍ଷ ରାଉରକେଲାରେ ହକି ବିଶ୍ବକପ୍ ଖେଳାଯିବାକୁ ଥିବା ବେଳେ ଅତିଥିମାନଙ୍କ ନିକଟରେ ରାଉରକେଲା ସହରକୁ ଏକ ଉଦାହରଣ ଭାବେ ସୃଷ୍ଟି କରିବାକୁ ଆହ୍ବାନ ଦେଇଥିଲେ ରାଉରକେଲା କମିଶନର ।
ବୁଧବାର ସକାଳେ ମହାନଗର ନିଗମ ପକ୍ଷରୁ ସ୍ବଚ୍ଛତା ସମ୍ପର୍କିତ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ମଧୂସୁଦନ ଛକ ନିକଟରୁ ବାହାରିଥିବା ଏହି ଶୋଭାଯାତ୍ରାକୁ ମହାନଗର ନିଗମ କମିଶନର ଡ. ଶୁଭଙ୍କର ମହାପାତ୍ରଙ୍କ ଉପସ୍ଥିତିରେ ମହିଳା ସଫେଇ କର୍ମଚାରୀମାନେ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଏହା ପୂର୍ବରୁ କମିଶନର ଶ୍ରୀ ମହାପାତ୍ର ଉତ୍କଳ ଗୌରବ ମଧୂସୁଦନ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସଚେତନତା ଶୋଭାଯାତ୍ରାଟି ମଧୁସୂଦନ ଛକରୁ ଆମ୍ବେଦକର ଛକ ଦେଇ ମହାନଗର ନିଗମ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ । ତେବେ ସ୍ଥାନୀୟ କଳାକାରଙ୍କ ପକ୍ଷରୁ ଆମ୍ବେଦକର ଛକ ନିକଟରେ ଏକ ପଥପ୍ରାନ୍ତ ନାଟକ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଯେଉଁଥିରେ ପ୍ଳାଷ୍ଟିକ ମୁକ୍ତ ସହର ନେଇ ଅପିଲ୍ କରାଯାଇଥିଲା । ମହାନଗର ନିଗମ କମିଶନରଙ୍କ ନେତୃତ୍ବରେ ଅୟୋଜିତ ଏହି ଶୋଭାଯାତ୍ରାରେ ସବୁ ଓ୍ବାର୍ଡର ସ୍ବଚ୍ଛ ସାଥି, ସଫେଇ କର୍ମଚାରୀ, ଆରଏମସି କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ ।
ଏହାପରେ ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ସେହିଭଳି ସ୍ବାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) କ୍ରମରେ ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ନିର୍ମିତ ହୋଇଥିବା ପରିଶ୍ରାଗାରର ଲୋକାର୍ପଣ କରିଥିଲେ କମିଶନର ଶ୍ରୀ ମହାପାତ୍ର । ସହରରେ ପ୍ରାୟ ୫୩ଟି ଏଭଳି ପରିଶ୍ରାଗାରର ନିର୍ମାଣ ଚାଲିଥିଲା ବେଳେ ପର୍ଯ୍ୟାୟ କ୍ରମେ ଏସବୁର ଲୋକାର୍ପଣ କରାଯିବ । ଅନ୍ୟପକ୍ଷରେ ସର୍ବସାଧାରଣ ନିମନ୍ତେ ଉଦିତ ନଗର ସ୍ଥିତ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଫିଟନେସ୍ ପାର୍କ ନିକଟରେ ଏକ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ ହୋଇଥିଲା ।
ଏତଦ ବ୍ୟତୀତ ମହାନଗର ପକ୍ଷରୁ ଆଜିକାର ସ୍ବତନ୍ତ୍ର ଦିବସ ଅବସରରେ ଫୁଟବଲ୍ ମ୍ୟାଚ୍, ଜୟ ପ୍ରକାଶ ହସ୍ପିଟାଲ ପକ୍ଷରୁ ମହାନଗର ନିଗମ କର୍ମଚାରୀମାନଙ୍କ ନିମନ୍ତେ ସ୍ବାସ୍ଥ୍ୟପରୀକ୍ଷଣ ଶିବିର ଓ ରଙ୍ଗୋଲୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଆୟୋଜିତ ରଙ୍ଗୋଲି ପ୍ରତିଯୋଗିତାରେ ପ୍ରଥମ ହୋଇଥିଲେ ପୂଜାରାଣୀ ପରିଡା, ଯୁଗ୍ମ ଭାବେ ନର୍ମଦା ବାରିକ (ଡିଇଓ) ଓ ବନଲତା ପଟ୍ଟନାୟକ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଯୁଗ୍ମ ଭାବେ ଯମୁନା ନାୟକ (ସ୍ୱଚ୍ଛ ସାଥି), ମିଲି ସାହୁ (ଡିଇଓ) ତୃତୀୟ ସ୍ଥାନ ଅଧିକାର କରିଥିଲେ । ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା ।
ତେବେ ସ୍ବାୟତ୍ତ ଶାସନ ଦିବସ ଅବସରରେ ରାଉରକେଲା ସହରକୁ ସ୍ବଚ୍ଛ, ସୁନ୍ଦର ଓ ସବୁଜ ସହର ଭାବେ ଗଢ଼ିତୋଳିବାକୁ ଲୋକଙ୍କ ସହଯୋଗ ଲୋଡ଼ିଥିଲେ କମିଶନର ଡ. ଶୁଭଙ୍କର ମହାପାତ୍ର ।
ଆଜି ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମଗୁଡ଼ିକରେ ପାନପୋଷ ଉପ ଜିଲ୍ଲାପାଳ ଦୌଲତ ଚନ୍ଦ୍ରକାର, ଡେପୁଟୀ କମିଶନର ସୁଧାଂଶୁ ଭୋଇ, ଡ. ଗୌରବମୟ ପ୍ରଧାନ, ରୋନିତ କୁମାର, ସୀତାଦେବୀ ମାଝୀ, ଆସିଷ୍ଟାଣ୍ଟ କମିଶନର ସୁକାନ୍ତ ବେଉରା, ନରେନ୍ଦ୍ର କୁମାର ପ୍ରଧାନ, ଭାରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅଜୟ ଶାହଙ୍କ ସମେତ ମହାନଗର ନିଗମର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।