ଏକ ସଡକ ଦୁର୍ଘଟଣାରେ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୫ ଜଣ ଛାତ୍ର ଆହତ ହୋଇଛନ୍ତି । ଆହତ ଛାତ୍ରଙ୍କୁ ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଭୁବନେଶ୍ୱରରୁ ଗୋପାଳପୁର ଯାଇଥିଲେ ୬ ଜଣ ଇଞ୍ଜିନିୟରିଂ ଛାତ୍ର । ଆଜି ଫେରିବା ବାଟରେ ଗଞ୍ଜାମ ଥାନା ଅଗସ୍ତିନୁଆଁ ଗାଁ ଛକ ନିକଟରେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା। ଏଥିରେ ଘଟଣାସ୍ଥଳରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।
ମୃତକ ଛାତ୍ର ହେଲେ ଦେବରାଜ। ଆହତମାନେ ହେଲେ ସୁରଜ କୁମାର ମହନ୍ତ, ସର୍ଭେସ ମହନ୍ତ, ସନୱାଜ, ଅର୍କ ସରକାର, କୁମାର ଜନ୍ମଜୟ । ସମସ୍ତ ୬ଜଣ ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ବୋଲି ଜଣାଯାଇଛି।
ଗତକାଲି ଭୁବନେଶ୍ୱରରୁ ଗୋପାଳପୁର ବୁଲିବାକୁ ଯାଇଥିଲେ ଏହି ୫ ଜଣ ଛାତ୍ର । ସେଠାରେ ବୁଲାବୁଲି ସାରି ଆଜି ସକାଳେ ସେମାନେ ଭୁବନେଶ୍ୱର ଫେରୁଥିଲେ। ମାତ୍ର ଅଗସ୍ତିନୁଆଁଗାଁ ଛକ ନିକଟରେ କାର୍ଟି ଡିଭାଇଡରକୁ ପିଟି ଏକ ଟ୍ରକକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଦେବରାଜ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି।
ଖବର ପାଇ ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରିଛନ୍ତ। ଗଞ୍ଜାମ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ ହୋଇଛି।