କୁମଝରିଆ ସ୍କୁଲ ବିବାଦ।। ପ୍ରଶାସନ ର ବୈଠକ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ।। ସ୍ୱଚ୍ଛତା ଲାଗି ଅଭିଭାବକ କମିଟି ଗଠନ।

0 428

କୁଆରମୁଣ୍ଡା ବ୍ଲକ କୁମଝରିଆ ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସଞ୍ଜୟ ସାମଲ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହେବା ପରେ ସ୍କୁଲ ପରିଚାଳନା ନେଇ ଗୁମର ଖୋଲୁଛି। ଆଜି ସ୍କୁଲ ପରିସରରେ ଜିଲ୍ଲା ପ୍ରଶାସନ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରାକାରଙ୍କ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ଶ୍ରୀବନ୍ତ ଜେନା, ବୀରମିତ୍ରପୁର ଏସ୍‌ଡିପିଓ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକ ଚାଲିଥିବାବେଳେ ସ୍କୁଲ ପରିସରରେ ଛାତ୍ରଛାତ୍ରୀଙ୍କ ଠାରୁ ବାର୍ଷିକ ବେଆଇନ ଫି’କୁ ନେଇ ସପକ୍ଷ ଓ ବିପକ୍ଷ ଅଭିଭାବକ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ସ୍କୁଲରେ ପରିସରରେ ଉତ୍ତେଜନା ପ୍ରକାଶ ପାଇବାରୁ ଉପଜିଳ୍ଲାପାଳ ‌ଶ୍ରୀ ଚନ୍ଦ୍ରାକାର ଓ ବୀରମିତ୍ରପୁର ଏସ୍‌ଡିପିଓ ପହଞ୍ଚି ଉଭୟ ଅଭିଭାବକଗୋଷ୍ଠୀଙ୍କୁ ବୁଝାସୁଝା କରିଥିଲେ। ପରେ ପରିସ୍ଥିତି ଶାନ୍ତ ପଡିଥିଲା ସତ କିନ୍ତୁ ମାଡ଼ ଖାଇଥିବା ଅଭିଭାବକଗୋଷ୍ଠୀ ବୀରମିତ୍ରପୁର ଥାନାର ଦ୍ବାରସ୍ଥ ହୋଇଥିଲେ। ମାଡ଼ ମାରିଥିବା ଅଭିଭାବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ପୁଲିସ ଉଭୟ ଅଭିଭାବକଗୋଷ୍ଠୀଙ୍କୁ ବିଦା କରିବାପରେ ସ୍କୁଲ ପରିଚାଳନା ସଂକ୍ରାନ୍ତରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ସ୍କୁଲରେ ୧ରୁ ୫ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ପିଲା ପିଛା ବାର୍ଷିକ ୧୫ ହଜାର, ୬ରୁ ୮ ଶ୍ରେଣୀ ପର୍ଯ୍ୟନ୍ତ ୧୭,୦୦୦ ଓ ୯ରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ୨୦ ହଜାର ଟଙ୍କା ଆଦାୟ କରାଯାଉଥିଲା। ଏହି ଅର୍ଥ କେଉଁ ବାବଦରେ ଖର୍ଚ୍ଚ ହେଉଥିବା ତା’ର କୌଣସି ହିସାବ ରଖାଯାଉ ନଥିଲା। ଏହା କାଗଜପତ୍ର ଯାଞ୍ଚ କରିବା ପରେ ଜଣାପଡିଥିଲା। ଏଣିକି ହଷ୍ଟେଲରେ ରହୁଥିବା ପିଲାଙ୍କ ଅଭିଭାବକମାନଙ୍କୁ ନେଇ କମିଟି ଗଠନ କରାଯିବ। ପିଲାଙ୍କ ଠାରୁ ବା‌ର୍ଷିକ ଫି’ କେତେ ଟଙ୍କା ଆଦାୟ କରାଯିବ , ଏହି ଅର୍ଥ କେଉଁ କେଉଁ ବାବଦରେ ଖର୍ଚ୍ଚ ହେବ ତାହା ଅଭିଭାବକ କମିଟିରେ ନିଷ୍ପତ୍ତି ନିଆଯିବ। ପିଲାଙ୍କ ଠାରୁ ବାର୍ଷିକ ଫି’ ଯାହା ଆଦାୟ ହେବ ତାହା ଅନ୍ୟ ଏକ ଆକାଉଣ୍ଟରେ ଜମା ରହିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ପ୍ରତି ମାସକୁ ଅଭିଭାବକ କମିଟି ଏକ ବୈଠକ ବସିବ। ପିଲାଙ୍କ ସମସ୍ୟା ଓ ଖର୍ଚ୍ଚର ବିସ୍ତୃତ ତଥ୍ୟ ସମ୍ପର୍କରେ ଆଲୋଚନା କରାଯିବ। ସେମିତି ସ୍କୁଲ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲର ଜଣେ ଶିକ୍ଷକଙ୍କୁ ଅସ୍ଥାୟୀ ଭାବେ ପ୍ରଧାନଶିକ୍ଷକ ଦାୟିତ୍ବ ଦିଆଯାଇଛି। ‌ଏଥିସହ ସ୍କୁଲରେ ପାଠ ପଢ଼ୁଥିବା ଓ ହଷ୍ଟେଲ ରହୁଥିବା ଅନାଥ ପିଲାମାନଙ୍କୁ ଛେଣ୍ଡ କଲୋନିସ୍ଥ ଏସ୍‌ଓଏସ୍‌ ଶିଶୁ ଗ୍ରାମରେ ରଖାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ଚନ୍ଦ୍ରାକାର କହିଛନ୍ତି। ସେ କହିଛନ୍ତି, ପିଲାଙ୍କ ଠାରୁ ଆଦାୟ ହେଉଥିବା ବାର୍ଷିକ ଫି’ରେ ପିଲାଙ୍କୁ କୋଚିଂ ଦିଆଯାଉଥିଲା। ଅବଶିଷ୍ଟ ଅର୍ଥ ସ୍କୁଲରେ କାର୍ଯ୍ୟରତ ସୁରକ୍ଷା କର୍ମଚାରୀ ଓ ଅନ୍ୟ କର୍ମଚାରୀଙ୍କୁ ଦରମା ଦିଆଯାଉଥିଲା। କିନ୍ତୁ କେଉଁ ବାବଦରେ କେତେ ଟଙ୍କା ଖର୍ଚ୍ଚ ହେଉଥିଲା, ତା’ର କୌଣସି ହିସାବ ରଖାଯାଉ ନଥିଲା। ଆଗାମୀ ଦିନରେ ଏମିତି ନ କରିବାକୁ ସ୍କୁଲ ପରିଚାଳନା କମିଟିକୁ କୁହାଯାଇଛି।

Leave A Reply

Your email address will not be published.