ରାଉରକେଲା ଡିଏଫଓ ଯଶୋବନ୍ତ ସେଠୀଙ୍କ ନିର୍ଦ୍ଦେଶ କ୍ରମେ ବୀରମିତ୍ରପୁର ବନ ବିଭାଗ ପକ୍ଷରୁ କୁଆରମୁଣ୍ଡା ତହସିଲ ଅନ୍ତର୍ଗତ ଝଟିଆରା ପାହାଡରେ ଚଢାଉ କରାଯାଇଥିଲା। ସେଠାରୁ ବନ ବିଭାଗ ୨ଟି ନମ୍ବର ବିହୀନ ଜେସିବି ଜବତ କରିଛି । ତେବେ ଚଢଉ ବେଳେ ବେଆଇନ ଭାବେ ବ୍ଲାଷ୍ଟିଂ କରି ପଥର ନେଉଥିବା ମାଫିଆମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଚଢଉ ପୂର୍ବରୁ ପଥର ମାଫିଆମାନଙ୍କୁ ଆଗୁଆ ଗୁପ୍ତ ସୂଚନା ଦିଆଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ବୀରମିତ୍ରପୁର ବନ ବିଭାଗ ଭୂମିକା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦୀର୍ଘ ୧୫ ଦିନ ଧରି ଏପରି ବେଆଇନ କାର୍ଯ୍ୟ ଚାଲୁଥିବା ବେଳେ କିପରି ବୀରମିତ୍ରପୁର ରେଂଜ ବନ ବିଭାଗ ନୀରବଦ୍ରଷ୍ଟା ସାଜିଥିଲା ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏପରିକି ସଂରକ୍ଷିତ ଜଙ୍ଗଲରେ ମାଫିଆମାନେ ଗଛ କାଟି ସଫା କରୁଥିବା ବିଷୟରେ ବୀରମିତ୍ରପୁର ବନ ରେଂଜ ଅଧିକାରୀଙ୍କ କୋହଳ ମନୋବୃତ୍ତି ଯୋଗୁଁ ପଥର ମାଫିଆମାନେ ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସକ୍ଷମ ହୋଇଥିବା ଏବଂ ସେମାନଙ୍କୁ ଯୋଜନାବଦ୍ଧ ଭାବେ ଗିରଫ ନ କରି ଛାଡି ଦେବା ନେଇ ସ୍ଥାନୀୟ ଝିଟିଆରା, ଲାସେ, କୁମଝରିଆ, ପାକେରଲଙ୍ଗର, କୁମଝରିଆ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।
ମାଫିଆମାନେ ସରକାରୀ ଜମି ଜବରଦଖଲ କରି ବେଆଇନ୍ ପଥର ଖଣି ଖୋଲିବାକୁ ପ୍ରସ୍ତୁତ ହେଉଥିଲା ବେଳେ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ ଯୋଗୁଁ ହିଁ ଏହି ବେଆଇନ କାର୍ଯ୍ୟ ଲୋକଲୋଚନକୁ ଆସିପାରିଲା ବୋଲି ଜଣାପଡିଛି ।
ସେପଟେ ଦୀର୍ଘ ୧୫ ଦିନ ଧରି ଏପରି ବେଆଇନ ବ୍ଲାଷ୍ଟିଂ ହେଉଥିଲେ ମଧ୍ୟ କୁଆଁରମୁଣ୍ଡା ତହସିଲ କାର୍ଯ୍ଯାଳୟରେ କୌଣସି ସୂଚନା ନ ରହିବା ଏବଂ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ମଧ୍ୟ ସାଧାରଣରେ ସଂଦେହ ସୃଷ୍ଟି ହୋଇଛି । ଏହି କାର୍ଯ୍ୟରେ ସମ୍ପୃକ୍ତ ମାଫିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ ନେଇ କୁଆଁରମୁଣ୍ଡା ଜିଲାପରିଷଦ ସଭ୍ୟ ରାଜେନ୍ଦ୍ର କୁଜୁର, କୁମଝରିଆ ସରପଞ୍ଚ ବାତିଆ ଲାକ୍ରାଙ୍କ ନେତୃତ୍ୱରେ ଶତାଧିକ ଗ୍ରାମାବସୀ କୁଆଁରମୁଣ୍ଡା ତହସିଲରେ ପହଞ୍ଚି ଏକ ଦାବିପତ୍ର ମଙ୍ଗଳବାର ମଧ୍ୟାହ୍ନରେ ପ୍ରଦାନ କରିଛନ୍ତି । ଲୋକଙ୍କ ଯାତାୟାତର ସୁବିଧା ନିମନ୍ତେ ରାସ୍ତା ପାଇଁ ତହସିଲ ପ୍ରଶାସନ ଜାଗା ଦେବା ପାଇଁ କୁଣ୍ଠିତ ହେଉଥିବା ବେଳେ ମାଫିଆମାନେ କିଭଳି ସଂରକ୍ଷିତ ପାହାଡ଼ ଜାଗା, ସରକାରୀ ଜାଗା ଜବରଦଖଲ କରିବା ସହ ଖୋଲାଖୋଲି ଲୋକଙ୍କୁ ବିକ୍ରି କରିଦେଉଛନ୍ତି, ତାହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଜିଲ୍ଲା ପରିଷଦ ସଭ୍ୟ ରାଜେନ୍ଦ୍ର କୁଜୁର ଦୃଢ ଦାବି କରିଛନ୍ତି ।
ସୂଚନାଯୋଗ୍ୟ ଯେ ମାସକ ତଳେ କୁଆଁରମୁଣ୍ଡା ତହସିଲ ଅନ୍ତର୍ଗତ ଦୁମାଙ୍ଗଦିରି ସଂରକ୍ଷିତ ଜଙ୍ଗଲରେ ପଥର ମାଫିଆମାନେ ବେଆଇନ୍ ଭାବେ ପଥର ଉତ୍ତୋଳନ ନିମନ୍ତେ ବହୁ ସଂଖ୍ୟକ ମୂଲ୍ୟବାନ ଗଛ ଏପରିକି ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷ କାଟି ନଷ୍ଟ କରିଥିବା ନେଇ ଦୁମାଙ୍ଗଦିରୀ, ଶାଗାବେଡା, ପୁଟ୍ରିଖମଣ ଓ କାଲୋସିହିରିଆ ଅଂଚଳର ସହସ୍ରାଧିକ ସ୍ଥାନୀୟ ବାସିନ୍ଦା ଏକ ବିଶାଳ ଶୋଭାଯାତ୍ରା କରି କୁଆଁରମୁଣ୍ଡା ତହସିଲ ଘେରାଉ କରିବା ସହ ଏଭଳି ବେଆଇନ୍ କାର୍ଯ୍ୟ ଭବିଷ୍ୟତରେ ଯେପରି ପୁନରାବୃତି ନ ହେବ ସେ ନେଇ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ମାତ୍ର ପଥର ମାଫିଆଙ୍କ ଏପରି ବେଆଇନ୍ କାର୍ଯ୍ୟକୁ ଏକ ମାସ ନପୁରୁଣୁ ପୁଣି ସକ୍ରିୟ ହୋଇଉଠିବା ଉଭୟ ତହସିଲ, ଜଙ୍ଗଲ ବିଭାଗର ପାରିବା ପଣିଆ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।