ରାଉରକେଲା ରେ ବୁଧବାର ଦିନ ହୋଇଥିବା ଲଘୁଚାପ ଜନିତ ବର୍ଷାରେ ବହୁ ସହରତଳି ଅଞ୍ଚଳରେ ପାଣି ଜମି ରହିଛି। ଏହାଛଡା ଅନେକ ସ୍ଥାନରେ ଛୋଟବଡ଼ ଦୁର୍ଘଟଣା ମାନ ମଧ୍ୟ ଘଟିଥିବା ଖବର ଆସୁଛି। ବେଦବ୍ୟାସ ନିକଟ ଟି ସି ଆଇ ଛକରୁ ଆଇ ଡି ସି ଯାଇଥିବା ରାସ୍ତାରେ ପ୍ରବଳ ପାଣି ସୁଅ ଚାଲିଥିଲା। ଏହି ରାସ୍ତାର ଜାତୀୟ ରାଜପଥ ଅଣ୍ଡରପାସ ନିକଟରେ ପ୍ରଖର ପାଣି ସ୍ରୋତରେ ଜଣେ ସାଇକେଲେ ଆରୋହି ଭାସି ଯାଇଥିଲେ। ପରେ ସ୍ଥାନୀୟ ଯୁବକ ମାନେ ଉକ୍ତ ସାଇକେଲ ଆରୋହୀଙ୍କୁ ଉଦ୍ଧାର କରିଥିଲେ। ପ୍ରବଳ ସ୍ରୋତ ଥିବାରୁ ସାଇକେଲ ଟି ମିଳି ପାରିନଥିଲା। ବୁଧବାର ସକାଳ ବର୍ଷାରେ ଏହି ଅଣ୍ଡରପାସ ନିକଟରେ ଏକ ସ୍କୁଟି ମଧ୍ୟ ଭାସି ଯାଇଥିଲା। ପରେ ଲୋକମାନେ ଚାଳକ ସହ ସ୍କୁଟି କୁ ଉଦ୍ଧାର କରିଥିବା ସୂଚନା ମିଳିଛି। ସୁନ୍ଦରଗଡ଼ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଥିବାରୁ ପ୍ରଶାସନ ପକ୍ଷରୁ ସତର୍କ ରହିବାକୁ କୁହାଯାଇଛି।