ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ବସ୍ତି ବାସିନ୍ଦାଙ୍କ ଥଇଥାନ ଦାବି।। କଂଗ୍ରସ ନେତା ପ୍ରଶାନ୍ତ ସେଠୀଙ୍କ ପ୍ରଭାବିତ ଅଞ୍ଚଳ ଗସ୍ତ।
ଗତ କିଛି ଦିନ ଧରି ଲାଗି ରହିଥିବା ଲଘୁଚାପ ଜନିତ ଲଗାଣ ବର୍ଷାରେ ସହରର ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇ ଯାଇଥିଲା। ଆଜି ବର୍ଷା ଥମିବା ପରେ ବଢ଼ି ଯାଇଛି ବସ୍ତିବାସିନ୍ଦାଙ୍କ ଚିନ୍ତା। ଭି ଏସ୍ ଏସ୍ ପାଲୀ, ବିରସା ନଗରୀ, ମୁଣ୍ଡାରୀ ବସ୍ତି, ଭଳି ଅନେକ ବସ୍ତିରେ ଘର କାନ୍ଥ ବର୍ଷାରେ ଭିଜି ଭୁଶୁଡି ପଡିଛି। ଲୋକମାନେ ପିଲାଛୁଆ ଧରି ବହୁତ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି। ସେମିତି ପାହାଡପୁର ବସ୍ତି, ମୁଣ୍ଡାରୀ ବସ୍ତିରେ ୨/୩ ଘର ଭାଙ୍ଗି ଯାଇଥିବାବେଳେ ଗଛ ପଡି ଅନ୍ୟ ଜଣଙ୍କ ଘର ମାଟିରେ ମିଶି ଯାଇଛି। କଂଗ୍ରେସ ନେତା ପ୍ରଶାନ୍ତ ସେଠୀ ବିଭିନ୍ନ ବସ୍ତି ଅଞ୍ଚଳ ବୁଲି ଲୋକ ମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ଶ୍ରୀ ସେଠୀଙ୍କ ସହ ସରୋଜ ନାୟକ, ବିଶ୍ବରଞ୍ଜନ ରାଉତ, ବାବୁ ମହାନ୍ତି, ରାଜେଶ ମଣ୍ଡଳ, ଜିତେନ ମାଛଖଣ୍ଡ ପ୍ରମୁଖ ଘର ଭାଙ୍ଗିଯାଇଥିବା ଲୋକଙ୍କୁ ଭେଟିଥିଲେ। ଏ ସଂକ୍ରାନ୍ତରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି ପ୍ରଶାନ୍ତ। ଲଗାଣ ବର୍ଷାରେ ଆଇଜି ପାର୍କ ନିକଟରେ ବଡ ଗଛ ଉପୁଡି ରାସ୍ତା ଉପରେ ପଡିଯିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ଆର୍ଏସ୍ପି ଅଗ୍ନିମ ବିଭାଗର କର୍ମଚାରୀ ପହଞ୍ଚି ରାସ୍ତାରୁ ଗଛକୁ କାଟି ହଟାଯିବା ପରେ ଯାତାୟତ ସ୍ବାଭାବିକ ହୋଇଥିଲା।