ଓଡିଶାରୁ ଝାରଖଣ୍ଡ ସଂଯୋଗ କରୁଥିବା ପୋଲ ଦାବିଲା।। ବାରିକେଡ କରି ପୋଲ ବନ୍ଦ କଲା ପ୍ରଶାସନ। ଯାନ ବାହାନ ଚଳାଚଳ ପ୍ରଭାବିତ।
ଲଗାଣ ବର୍ଷାରେ ଦବି ଯାଇଛି ଓଡ଼ିଶା-ଝାଡ଼ଖଣ୍ଡକୁ ସଂଯୋଗ କରୁଥିବା କୋଏଲ ନଦୀର ପୋଲ। ଗୋଟିଏ ପାର୍ଶ୍ବ ସମ୍ପୂର୍ଣ୍ଣ ଦବି ଯାଇଥିବାରୁ ପୋଲ ଉପରେ ଯାତାୟତକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ପୋଲ ତଳେ ପ୍ରଭାବିତ ବନ୍ୟା ଜଳର ପ୍ରଖର ସୋତ୍ର ଯୋଗୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି। ଅଘଟଣ ଏଡାଇବାକୁ ଉଭୟ ଓଡ଼ିଶା ଓ ଝାଡ଼ଖଣ୍ଡ ପୁଲିସ ପୋଲର ଉଭୟ ପାର୍ଶ୍ବକୁ ବାଉଁଶ ବାନ୍ଧି ବନ୍ଦ କରି ଦେଇଛନ୍ତି। ଫଳରେ ରାଉରକେଲା-ଝାରଖଣ୍ଡର ପ୍ରମୁଖ ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ରାଉରକେଲାରୁ ଝାଡ଼ଖଣ୍ଡ ଓ ଝାଡ଼ଖଣ୍ଡରରୁ ରାଉରକେଲା ଯାତାୟତ କରୁଥିବା ଗାଡି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ଏହି ପୋଲ ରାଉରକେଲା ସହ ଝାରଖଣ୍ଡର ମନୋହରପୁର, ଜାମସେଦପୁର, କିରିବୁରୁ, ରାଞ୍ଚି ଆଦି ସହରକୁ ସଂଯୋଗ କରିଛି। ଗତକାଲି ଠାରୁ ପୋଲ ଉପରେ ଯାତାୟତ ବନ୍ଦ ଥିବାରୁ ରାଉରକେଲାରୁ ଝାଡ଼ଖଣ୍ଡ ଯାଉଥିବା ଯାନଗୁଡ଼ିକ ଅନ୍ୟ ଏକ ରାସ୍ତା ଦେଇ ଯାତୟତ କରୁଛନ୍ତି। ଏହି ରାସ୍ତା ଦେଇ ବଡ଼ବିଲ ସହ କେନ୍ଦୁଝର ଜିଲ୍ଲା କୁ ରାଉରକେଲା ଦେଇ ଲୋକମାନେ ଯାତାୟତ କରିଥାନ୍ତି। କୋଏଲନଦୀର ଜଳସ୍ତର ହ୍ରାସ ପାଇବା ପରେ ଦବି ଯାଇଥିବା ପୋଲକୁ ଯାଞ୍ଚ କରିବା ପରେ ଖୋଲାଯିବ ବୋଲି ସ୍ଥାନୀୟ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଦୈନିକ ରାଉରକେଲାରୁ ଶହ ଶହ ଟ୍ରକ, ବସ୍, କାର୍ ଏହି ପୋଲ ଉପରେ ଦେଇ ଝାଡ଼ଖଣ୍ଡକୁ ଯାତାୟତ କରିଥାଏ। ଝାଡଖଣ୍ଡର ମନୋହପୁର ସମେତ ଅନ୍ୟାନ୍ୟ ସୀମାନ୍ତ ଗାଁର ଲୋକମାନେ ଓଡ଼ିଶା ବଜାରେ ଉପରେ ନିର୍ଭରଶୀଳ। ଫଳରେ ଏସବୁ ଗାଁର ଲୋକମାନଙ୍କ ଚିନ୍ତା ବଢି ଯାଇଛି।