ରାଉରକେଲା ରେ ଶିଳ୍ପର ଉନ୍ନତି ଲାଗି ବଣିକ ସଂଘର ବୈଠକ ଆୟୋଜିତ।। ବୈଠକରେ ଯୋଗ ଦେଲେ ରାଜ୍ୟ ଶିଳ୍ପ ଏବଂ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ।
ଶକ୍ତି , ଶିଳ୍ପ , ଅଣୁ , କ୍ଷୁଦ୍ର ଏବଂ ମଧ୍ୟମ ବିଭାଗ ର ଉଦ୍ୟୋଗ ମନ୍ତ୍ରୀ ପ୍ରତାପ ଦେବ ତାଙ୍କ ଏକ ଦିବସୀୟ ରାଉରକେଲା ଗସ୍ତରେ ଆସି ପହଞ୍ଚିଛନ୍ତି। ଶିଳ୍ପ ମନ୍ତ୍ରୀ ତାଙ୍କ ଗସ୍ତ ସମୟରେ ରାଉରକେଲା ବଣିକ ସଙ୍ଘ ଦ୍ୱାରା ଆୟୋଜିତ ଏକ ବୈଠକରେ ଯୋଗ ଦେଇଥିଲେ। ଏହି ଅଞ୍ଚଳରେ ଶିଳ୍ପର ଉନ୍ନତି କିପରି ହେବ ସେ ବାବଦରେ ଆଲୋଚନା ହୋଇଥିଲା। ମନ୍ତ୍ରୀଙ୍କ ସହ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। କେତେକ କାରଣ ଯୋଗୁଁ ଏବେ ଶିଳ୍ପପତି ମାନେ ପଡୋଶୀ ରାଜ୍ୟ ଛତିଶଗଡ଼ ମୁହାଁ ହୋଇଛନ୍ତି। ବିଶେଷକରି ଏଠାରେ ବିଦ୍ୟୁତ ଦର ଅଧିକ ଥିବାରୁ ବିଭିନ୍ନ ବ୍ୟବସାୟୀ ଛତିଶଗଡ଼ ରେ ଶିଳ୍ପ ପ୍ରତିଷ୍ଠା କରୁଛନ୍ତି। ସେଠାରେ ବିଦ୍ୟୁତ ଦର ଓଡିଶା ଅପେକ୍ଷା କମ। ଏହାଛଡା ରାଉରକେଲା ଅଞ୍ଚଳରେ ଇଡ଼କୋ ପକ୍ଷରୁ ଦିଆଯାଇଥିବା ଜମିର କିସମ ପରିବର୍ତ୍ତନ ହୋଇନଥିବାରୁ ଅସୁବିଧା ହେଉଛି। କୁଆରମୁଣ୍ଡା ଏବଂ ଲାଠିକଟା ରେ ଆଉ ଦୁଇଟି ଶିଳ୍ପାଞ୍ଚଳ ପ୍ରତିଷ୍ଠା କରିବାକୁ ବଣିକ ସଙ୍ଘ ପକ୍ଷରୁ ମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଥିଲା। ଉପସ୍ଥାପନ କରା ଯାଇଥିବା ଦାବି ଗୁଡିକ ତର୍ଜମା କରାଯାଇ ବିହିତ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି।