ରାଉରକେଲା ରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ।। ଆସିଥିବା ୩୮ ଅଭିଯୋଗରୁ ୬ଟିର ତୁରନ୍ତ ସମାଧାନ
ରାଉରକେଲା, ୮ ଅଗଷ୍ଟ ୨୦୨୨: ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଉରକେଲାଠାରେ ଏକ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୋମବାର ଦିନ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସାଧାରଣ ଲୋକମାନେ ଉପସ୍ଥିତ ରହି ସେମାନଙ୍କ ସମସ୍ୟା ଏବଂ ଅଭିଯୋଗ ପ୍ରଶାସନ ନିକଟରେ ଉପସ୍ଥାପନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର ଏବଂ ରାଉରକେଲା ଏସପି ମୁକେଶ କୁମାର ଭାମୁ ପ୍ରମୁଖ ଉପସ୍ଥିତ ରହି ଜନସଧାରଣଙ୍କ ବିଭିନ୍ନ ସମସ୍ୟା ଏବଂ ଅଭିଯୋଗ ଆଦିର ଶୁଣାଣି କରିଥିଲେ।
ଜନଶୁଣାଣି କାର୍ଯ୍ୟକ୍ରମରେ ରାଉରକେଲା ସହରର ବିଭିନ୍ନ ୱାର୍ଡରୁ ଲୋକମାନେ ସାମିଲ ହୋଇଥିଲେ। ଏଥିରେ ମୋଟ ୩୮ଟି ଅଭିଯୋଗ ଆସିଥିଲା, ସେଥିମଧ୍ୟରୁ ୬ଟି ଅଭିଯୋଗର ତୁରନ୍ତ ଶୁଣାଣି କରି ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗଗୁଡ଼ିକୁ ବିଚାରକୁ ନେଇ ତୁରନ୍ତ ସମାଧାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଏହି ଜନଶୁଣାଣି ବେଳେ ସୁନ୍ଦରଗଡ଼ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭୈରବ ସିଂ ପଟେଲ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ପାନପୋଷ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ସରୋଜିନୀ ପ୍ରସନ୍ନ କୁଲୁ, ପିଡି ଡୁଡା ତଥା ଡିଏମଏଫ ସିଇଓ ରିତା ଡାଙ୍ଗ, ପାନପୋଷ ଉପଜିଲ୍ଲପାଳ ଦୌଲତ ଚନ୍ଦ୍ରାକର, ରାଉରକେଲା ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ, ରାଉରକେଲା ମହାନଗର ନିଗମର ଡେପୁଟି କମିଶନର ସୁଧାଂଶୁ କୁମାର ଭୋଇ, ସୀତାଦେବୀ ମାଝି, ଡକ୍ଟର ଗୌରବମୟ ପ୍ରଧାନ, ରୋନିତ୍ କୁମାର ସୁନ୍ଦରଗଡ଼ ଡେପୁଟି କଲେକ୍ଟର (ଆପାତକାଳୀନ) କୁନ୍ତୀ ରାଣି ନାୟକ ପ୍ରମୁଖ ଉପସ୍ଥିତ ଥିଲେ।