ଭତ୍ତା ଟଙ୍କାକୁ ନେଇ ବିବାଦ ହେବା ପରେ ପୁଅର ଚାପୁଡାରେ ମାଆର ମୃତ୍ୟୁ ହେବା ଘଟଣା ଆଜି ଚର୍ଚ୍ଚାର ବିଷୟ ହୋଇଛି । ହତ୍ୟା ଅଭିଯୋଗରେ ପୁଅକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ କୁମ୍ଭାରପଡାରେ । ସୂଚନା ମୁତାବକ କୁମ୍ଭାରପଡାରେ ରହୁଥିବା କୁନି ତନ୍ତୀ (୬୨) ଭତ୍ତା ଟଙ୍କା ଆଣିବା ପରେ ଘରକୁ ଫେରିଥିଲା । ଘରେ ପୁଅ ସୁଧ ତନ୍ତୀ (୨୮) ମଦ୍ଯ ପାନ କରି ନିଶାସକ୍ତ ଅବସ୍ଥାରେ ଥିଲା । ମାଆ କୁନି ଘରେ ପହଞ୍ଚିବା ପରେ ସୁରଜ ତାକୁ ଟଙ୍କା ମାଗିଥିଲା । ମାତ୍ର ଟଙ୍କା ଦେବାକୁ କୁନି ମନା କରି ଦେବାରୁ ଏହି ଘଟଣାକୁ ନେଇ ମାଆ ପୁଅଙ୍କ ମଧ୍ୟରେ ଝଗଡା ହୋଇଥିଲା । କ୍ରମେ ଝଗଡା ତିକ୍ତ ହେବାରୁ ପୁଅ ସୁରଜ ମାଆ କୁନିର ଗାଲରେ ଏକ ଶକ୍ତ ଚାପୁଡା ମାରିଥିଲା । ଫଳରେ କୁନି ତଳେ ପଡିଯିବା ସହ ତାର ମୁଣ୍ଡ କବାଟରେ ବାଜି ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ କୁନିକୁ ବୀରମିତ୍ରପୁର ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ବୀରମିତ୍ରପୁର ପୁଲିସ ଏକ ହତ୍ଯା ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ପୁଅ ସୁରଜ ତନ୍ତୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।