ସୁନ୍ଦରଗଡ଼ ଜିଲ୍ଲା ହେମଗିର ଥାନା ଗର୍ଜନବାହାଲ ହାଇସ୍କୁଲ ଛାତ୍ର ଦୁର୍ଗାପ୍ରସାଦ ଖଣ୍ଡା ମୃତ୍ଯୁ ଘଟଣାରେ ଜିଲ୍ଲା ଶିକ୍ଷା ବିଭାଗ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିଛି। କର୍ତ୍ତବ୍ଯରେ ଅବହେଳା କରିଥିବା ଦର୍ଶାଇ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ଯ କୁମାର ପ୍ରଧାନ ସ୍କୁଲ ପ୍ରଧାନଶିକ୍ଷକ ଦେବେନ୍ଦ୍ର ପଟେଲଙ୍କୁ ନିଲମ୍ବିତ କରିଛନ୍ତି।ତାଙ୍କୁ ହେମଗିର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ଯାଳୟରେ ଅବସ୍ଥାପିତ କରାଯାଇଥିବା ବେଳେ ବିନା ଅନୁମତିରେ ମୁଖ୍ଯାଳୟ ଛାଡି ନଯିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଗର୍ଜନବାହାଲ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ର ଦୁର୍ଗା ସ୍କୁଲ ହଷ୍ଟେଲରେ ରହୁଥିଲେ। ୧ ତାରିଖ ରାତିରେ ହଷ୍ଟେଲର ଉପସ୍ଥାନ ପକାଯିବା ବେଳେ ସେ ନଥିବା ଜଣାପଡ଼ିଥିଲା। ଅନ୍ୟ ଅନ୍ତେବାସୀ ଖୋଜାଖୋଜି କରିଥିଲେ ବି ପାଇ ନଥିଲେ। ୨ ତାରିଖ ସକାଳୁ ଛାତ୍ରଙ୍କ ମୃତଦେହ ସ୍କୁଲ ନିକଟ ଏକ କୁସୁମ ଗଛତଳେ ପଡ଼ିଥିବା ଦେଖି ସ୍କୁଲ କର୍ତ୍ତୃପକ୍ଷ ପୁଲିସକୁ ଖବର ଦେଇଥିଲେ। ପୁଲିସ ଆସି ତଦନ୍ତ କରିଥିଲା ଛାତ୍ର ଜଣକ ଅପରାହ୍ନରେ ଏକା କୁସୁମ ଖାଇବାକୁ ଗଛ ଚଢିଥିବାବେଳେ ଗଛକୁ ଛୁଇଁ ଯାଇଥିବା ୧୧ କେଭି ଜୀବନ୍ତ ବିଦ୍ୟୁତ ତାର ଝଟକା ଖାଇ ତଳେ ପଡ଼ି ଯାଇଥିଲେ ଏବଂ ସାରା ରାତି ସେଠାରେ ପଡ଼ି ରହିବା ମଧ୍ୟରେ ତାଙ୍କ ପ୍ରାଣ ଚାଲିଯାଇଥିବା ପ୍ରକାଶ ପାଇଥିଲା। ଛାତ୍ରଙ୍କ ମୃତ୍ୟୁ ଖବରକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ କାକା ଓ ମା’ ଆସି ସ୍କୁଲ କର୍ତ୍ତୃପକ୍ଷ ଓ ଟାଟାପାୱାରର ଅବହେଳା ଯୋଗୁଁ ତାଙ୍କ ପୁଅର ଜୀବନ ଯାଇଥିବା ଅଭିଯୋଗ କରିଥିଲେ। ଦୁର୍ଗାପ୍ରସାଦ ନିଖୋଜ ଥିବା ଜାଣିବା ପରେ ଶିକ୍ଷକମାନେ ତାକୁ ଖୋଜିବା ନେଇ କୌଣସି ତତ୍ପରତା ପ୍ରକାଶ କରି ନଥିଲେ ଓ ପିଲାମାନଙ୍କୁ ଖୋଜିବାକୁ ପଠାଇଥିବା ଅଭିଯୋଗ ହୋଇଛି। ସେହିପରି ହଷ୍ଟେଲ ଦାୟିତ୍ବରେ ଥିବା ପ୍ରଧାନଶିକ୍ଷକ ସୁନ୍ଦରଗଡ଼ରେ ରହୁଥିବା ବେଳେ ସେ ଘଟଣା ଦିନ ଅନୁପସ୍ଥିତ ଥିଲେ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ହଷ୍ଟେଲରେ ରହୁଥିବା ଛାତ୍ର କିପରି ଏକା କୁସୁମ ଖାଇବାକୁ ଗଲା, ଦାୟିତ୍ବରେ ଥିବା ଶିକ୍ଷକମାନେ କିପରି ଜାଣିପାରିଲେ ନାହିଁ, ସାରା ରାତି ପିଲାଟି ନିଖୋଜ ଥିବା ସତ୍ତ୍ବେ ସ୍କୁଲ କର୍ତ୍ତୃପକ୍ଷ ପୁଲିସକୁ କାହିଁକି ସୂଚନା ଦେଇ ନଥିଲେ ବୋଲି ପରିବାର ଲୋକେ ପ୍ରଶ୍ନ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ପରେ ମୃତକଙ୍କ ପରିବାରକୁ ସ୍କୁଲ ପକ୍ଷରୁ ନଗଦ ୫୦ ହଜାର, ଜିଲ୍ଲା ରେଡକ୍ରସରୁ ୨୦ ହଜାର ଦିଆଯିବା ସହ ବିଦ୍ୟୁତ ବିଭାଗ ୨ ଲକ୍ଷ ଟଙ୍କା ଓ ଜଣକୁ ଚାକିରି ପ୍ରତିଶ୍ରୁତି ଦିଆଯାଇଥିଲା।