ରାଉରକେଲା ରେ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ଋଣ ନେଇଥିବା ଉଠା ଦୋକାନୀଙ୍କ ଲାଗି ସ୍ୱତନ୍ତ୍ର କ୍ୟାମ୍ପ।। ଅଗଷ୍ଟ ୧ ରୁ ୬ ପର୍ଯ୍ୟନ୍ତ କ୍ୟାମ୍ପ।
ରାଉରକେଲା ସହରର ଯେଉଁ ଉଠା ଦୋକାନିମାନେ ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନା ଅଧୀନରେ ଋଣ ପାଇଛନ୍ତି ସେମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରେ ଯୋଡ଼ି ସୁବିଧା ଦେବା ପାଇଁ ‘ସ୍ବନିଧିରୁ ସମୃଦ୍ଧି’ ସ୍ବତନ୍ତ୍ର କ୍ୟାମ୍ପ ଆୟୋଜନ କରାଯାଉଛି।
ଆସନ୍ତା ୧ ଅଗଷ୍ଟରୁ ୬ ଅଗଷ୍ଟ ପର୍ଯ୍ୟନ୍ତ ଏହି ସ୍ବତନ୍ତ୍ର କ୍ୟାମ୍ପ ରାଉରକେଲା ଉଦିତନଗରସ୍ଥିତ ଲାଇଭଲିହୁଡ ସେଣ୍ଟରଠାରେ କରାଯାଉଛି। ସକାଳ ୧୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହା ଚାଲିବ।
ଋଣ ପାଇଥିବା ଉଠା ଦୋକାନିମାନେ ସେମାନଙ୍କ ପରିବାର ସଦସ୍ୟଙ୍କ ସହିତ ଏହି କ୍ୟାମ୍ପରେ ଉପସ୍ଥିତ ରହିବା ପାଇଁ ରାଉରକେଲା ମହାନଗର ନିଗମ ପକ୍ଷରୁ ଅନୁରୋଧ କରାଯାଇଛି।
ହିତାଧିକାରୀମାନେ କ୍ୟାମ୍ପକୁ ଆସିବା ବେଳେ ଆଧାର କାର୍ଡ, ବ୍ୟାଙ୍କ ପାସବୁକ ଓ ନିଜର ମୋବାଇଲ୍ ଫୋନ ସାଙ୍ଗରେ ଆଣିବା ପାଇଁ କୁହାଯାଇଛି। ସେମାନେ ଏହି କ୍ୟାମ୍ପରୁ ବିଶେଷ ପରିଚୟପତ୍ର ଓ ଭେଣ୍ଡିଂ ଜୋନ ପ୍ରମାଣପତ୍ର ମଧ୍ୟ ସଂଗ୍ରହ କରିପାରିବେ।
ପିଏମ ସ୍ଵନିଧି ଅଧୀନରେ ଋଣ ପାଇଥିବା ସମସ୍ତ ଉଠା ଦୋକାନିମାନଙ୍କୁ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା, ସୁରକ୍ଷା ବୀମା, ଜନ-ଧନ, ଗୋଟିଏ ଦେଶ ଗୋଟିଏ ରାସନ୍ କାର୍ଡ, ଶ୍ରମ ଯୋଗୀ ମାନ-ଧନ ଆଦି ଯୋଜନାରେ ସାମିଲ କରାଯିବ।