ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟାନ୍ନ ଭୋଜନ ଚାଉଳ ଯୋଗାଣ ରେ ଦୁର୍ନୀତି ଅଭିଯୋଗ।। ନିମ୍ନମାନର ଚାଉଳ ଯୋଗାଣ ସହ ବସ୍ତାରେ କମ ଚାଉଳ ରହୁଥିବା ଅଭିଯୋଗ।
ସ୍କୁଲ ପିଲାଙ୍କ ଲାଗି ଆସୁଥିବା ମଧ୍ୟାନ୍ନ ଭୋଜନ ଚାଉଳ ଯୋଗାଣରେ ସୁନ୍ଦରଗଡ଼ ଜିଲ୍ଲାରେ ଦୁର୍ନୀତି ଅଭିଯୋଗ ହୋଇଛି। କେଉଁଠି ପ୍ରତି ବସ୍ତାରେ ଚାଉଳ କମ ରହୁଛି ତ ଆଉ କେଉଁଠି ନିମ୍ନ ମାନର ଚାଉଳ ଯୋଗାଣ ଅଭିଯୋଗ ହେଉଛି। ସ୍କୁଲ ମାନଙ୍କୁ ଆସୁଥିବା ଚାଉଳ ବସ୍ତାରେ ୪ କେଜି ରୁ ୫ କେଜି କମ ରହୁଥିବା ଅଭିଯୋଗ କରିଛନ୍ତି ଶିକ୍ଷକ ମାନେ। ସ୍କୁଲ ମାନଙ୍କରେ ଓଜନ କରିବା ମେସିନ ନଥିବାରୁ ବସ୍ତା ଗଣି ଚାଉଳ ରଖିବାକୁ ପଡୁଛି। ୫୦ କେଜି ବସ୍ତାରେ ୩/୪ କେଜି କମ ଚାଉଳ ରହୁଥିବାରୁ ଶିକ୍ଷକ ମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। କେତେକ ସ୍ଥାନରେ ନିମ୍ନ ମାନର ଚାଉଳ ଯୋଗାଣ ହେଉଥିବାରୁ ଛାତ୍ରଛାତ୍ରୀ ମାନେ ଖାଉ ନାହାନ୍ତି। କୁଆରମୁଣ୍ଡା ବ୍ଲକ ର ଏକ ସ୍କୁଲରେ ପୋକରା ଚାଉଳ ଯୋଗାଣ ହୋଇଥିବା ଅଭିଯୋଗ ହୋଇଛି। ସଠିକ ଭାବେ ସୁପରଭିଜନ ହେଉ ନଥିବାରୁ ଚାଉଳ ଯୋଗାଉଥିବା ଠିକାଦାର ଏହାର ଫାଇଦା ଉଠାଉଛନ୍ତି। ସରକାରଙ୍କ ପକ୍ଷରୁ ଛୋଟ ପିଲାଙ୍କୁ ଯୋଗାଇ ଦିଆଯାଉଥିବା ଖାଦ୍ୟ ସାମଗ୍ରୀର ଗୁଣାତ୍ମକ ମାନ ଠିକ ରଖିବାକୁ ଦାବି ହେଉଛି।