ବିଶ୍ବକପ୍ ପୁରୁଷ ହକି – ୨୦୨୩ ଆୟୋଜନକୁ ଆଉ ମାତ୍ର ବାକି ରହିଲା କେଇଟା ମାସ । ଏହାର ଯଥେଷ୍ଟ ପୂର୍ବରୁ ସ୍ମାର୍ଟସିଟି ରାଉରକେଲାର ସୌନ୍ଦର୍ଯ୍ୟକରଣ, ସଂକୁଚିତ ରାସ୍ତାର ପ୍ରଶସ୍ତୀକରଣ ପାଇଁ ପ୍ରଶାସନ ପକ୍ଷରୁ ଚାଲିଛି ଜୋରଦାର ତନାଘନା । ଏହି ପରିପ୍ରେକ୍ଷୀରେ ଆଜି ସହରର ସବୁଠାରୁ ପୁରୁଣା ବସ୍ତି କୁହାଯାଉଥିବା ପାନପୋଷ ବସ୍ତିରେ ଥିବା ମୁଖ୍ୟ ରାସ୍ତାକୁ ମାଡି ଘର ନିର୍ମାଣ ହୋଇଥିବା ଜବରଦଖଲକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଥିଲା ।
ସୂଚନାଯୋଗ୍ୟ ଯେ ପାନପୋଷ ବସ୍ତିରେ ପାନପୋଷ ଉପଖଣ୍ଡ ଚିକିତ୍ସାଳୟ ଠାରୁ ପାନପୋଷ ହକି ସ୍ପୋର୍ଟ୍ସ ହଷ୍ଟେଲ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାଟି ବର୍ଷ ବର୍ଷ ଧରି ଜବରଦଖଲକାରୀଙ୍କ କବଳରେ ରହିଥିଲା । ରାସ୍ତାର ଦୁଇ ପାର୍ଶ୍ବରେ ରହୁଥିବା ଲୋକମାନେ ସେମାନଙ୍କ ବାରଣ୍ଡା, ବାଲକୋନି ଏବଂ ପାହାଚକୁ ରାସ୍ତା ଉପରକୁ ମାଡି ଆସିବା ସହ ଜବରଦଖଲ କରି ଗୃହ ନିର୍ମାଣ କରିଥିଲେ । ଏପରିକି ଉପର ମହଲା ବି ରାସ୍ତାର ମଝିକୁ ମାଡି ନିର୍ମାଣ କରିଥିଲେ । ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହରେ ବିଶ୍ବକପ୍ ହକି ୨୦୨୩ ରାଉରକେଲାରେ ଆୟୋଜନ ହେବାକୁ ଯାଉଥିବାରୁ ଏହାର ଯଥେଷ୍ଟ ପୂର୍ବରୁ ରାଉରକେଲା ସହରର ସୌନ୍ଦର୍ଯ୍ୟକରଣର କାର୍ଯ୍ୟ ଚାଲିଛି । ଏହି ପରିପ୍ରେକ୍ଷୀରେ ସହରର ମୁଖ୍ଯ ରାସ୍ତାରୁ ପାନପୋଷ ହକି ସ୍ପୋର୍ଟ୍ସ ହଷ୍ଟେଲକୁ ଯାଇଥିବା ସଂକୁଚିତ ରାସ୍ତାଟିକୁ ପ୍ରଶସ୍ତିକରଣ କରାଯିବା ପାଇଁ ଟେଣ୍ଡର ହୋଇ ସାରିଛି । ଏଥିପାଇଁ ସେଠାରେ ସମସ୍ତ ଜବରଦଖଲକୁ ଉଚ୍ଛେଦ କରିବା ପାଇଁ ୧୫ ଦିନ ପୂର୍ବରୁ ରାଉରକେଲା ମହାନଗର ନିଗମ ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲା । ଆଜି ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକଙ୍କ ଉପସ୍ଥିତି ବୁଲଡୋଜର ଦ୍ବାରା ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା । ଆଇନ ଶୃଙ୍ଖଳା ପରିସ୍ଥିତି ଆଶଙ୍କାରେ ରଘୁନାଥପାଲୀ ଥାନା ପକ୍ଷରୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ଆଜି ପ୍ରଥମ ପର୍ଯ୍ୟାୟରେ ୧୩ଟି ଘରର ଜବରଦଖଲକୁ ଉଛେଦ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ । ମୋଟ ୫୦ଟି ଗୃହକୁ ଜବରଦଖଲ କରାଯାଇଥିବା ନେଇ ଚିହ୍ନଟ କରାଯାଇଛି ବୋଲି ସେ କହିଛନ୍ତି । ଏ ନେଇ ରାଉରକେଲା ମହାନଗର ନିଗମର ଡେପୁଟି କମିଶନର ସୁଧାଂଶୁ ଶେଖର ଭୋଇ କହିଛନ୍ତି ଯେ ବିଶ୍ବକପ୍ ହକି ପୂର୍ବରୁ ପାନପୋଷ ବସ୍ତିର ଉକ୍ତ ରାସ୍ତାକୁ ପ୍ରଶସ୍ତିକରଣ କରାଯିବାକୁ ଟେଣ୍ଡର ପ୍ରକ୍ରିୟା ସମ୍ପନ୍ନ ହୋଇଛି । ଖୁବ ଶୀଘ୍ର ରାସ୍ତା ନିର୍ମାଣ କାର୍ଯ୍ଯ ଆରମ୍ଭ ହେବ ବୋଲି ସେ କହିଛନ୍ତି ।