କୋଭିଡ ଉପଯୋଗୀ ଆଚରଣ ପାଳନ କରିବାକୁ ରାଉରକେଲା ମହାନଗର ନିଗମ ପକ୍ଷରୁ ଅନୁରୋଧ।। “ଫେରିଲା ନୋ ମାସ୍କ , ନୋ ଏଣ୍ଟ୍ରି” ସିଷ୍ଟମ।

0 439

ରାଉରକେଲା, ୨୦ ଜୁଲାଇ ୨୦୨୨: ରାଉରକେଲା ସହରରେ କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ମହାନଗର ନିଗମ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି। ସଠିକ୍ ଭାବେ କୋଭିଡ୍ ଉପଯୋଗୀ ଆଚରଣ ପାଳନ କରିବା ସହିତ ମାସ୍କ ପିନ୍ଧିବା ଲାଗି ନିଗମ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।

ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ରାଉରକେଲା ସହରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସହରରେ ବସବାସ କରୁଥିବା ଏବଂ ବିଭିନ୍ନ କାମରେ ବାହାରୁ ଆସୁଥିବା ଜନସାଧାରଣ ନାକ, ପାଟିକୁ ଭଲଭାବେ ଘୋଡ଼ାଇ ମାସ୍କ ପିନ୍ଧିବାକୁ ନିଗମ ପକ୍ଷରୁ କୁହାଯାଇଛି।

ସେହିପରି ରାଉରକେଲା ସହରରେ ଥିବା ବିଭିନ୍ନ ଦୋକାନ, ସପିଙ୍ଗ ମଲ ସହିତ ପେଟ୍ରୋଲ ଟାଙ୍କିଗୁଡ଼ିକରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ବିନା ମାସ୍କରେ ଯେଉଁ ଗ୍ରାହକମାନେ ଆସିବେ ସେମାନଙ୍କୁ ଦୋକାନୀ କୌଣସି ଜିନିଷ ବିକ୍ରି କରିବେ ନାହିଁ ବୋଲି ନିଗମ ପକ୍ଷରୁ କୁହାଯାଇଛି। ଏହାସହ ସାଧାରଣ ଲୋକଙ୍କ ସୂଚନା ପାଇଁ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ବା ଦୋକାନ ଆଗରେ ନୋ ମାସ୍କ ନୋ ଏଣ୍ଟ୍ରି ଏବଂ ନୋ ମାସ୍କ ନୋ ଗୁଡ୍ସ’ ଲେଖିବା ଲାଗି କୁହାଯାଇଛି।

ରାଉରକେଲାରେ ଥିବା ବିଭିନ୍ନ ସରକାରୀ ଓ ଘରୋଇ କାର୍ଯ୍ୟାଳୟର କର୍ମଚାରୀମାନେ ମଧ୍ୟ ନିୟମିତ ମାସ୍କ ବ୍ୟବହାର କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ସଠିକ ଭାବେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା, ନିୟମିତ ଭଲ ଭାବେ ସାବୁନରେ ହାତ ଧୋଇବା ଏବଂ ସର୍ବସାଧାରଣ ସ୍ଥାନରେ ଛେପ ନପକାଇବାକୁ ନିଗମ ପକ୍ଷରୁ କୁହାଯାଇଛି।

କୋଭିଡ୍ ଲକ୍ଷଣ – ଥଣ୍ଡା, ଜ୍ୱର, କାଶ, ଛିଙ୍କ ଆଦି ଦେଖାଦେଲେ ତୁରନ୍ତ ପରୀକ୍ଷା କରାଇବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ରାଉରକେଲା ସରକାରୀ ଚିକିତ୍ସାଳୟ (ଆରଜିଏଚ) ସହିତ ସେକ୍ଟର-୧ ସ୍ଥିତ ସେଲ ହେଲଥ ସେଣ୍ଟର, ସେକ୍ଟର-୬ସ୍ଥିତ ସେଲ ହେଲଥ ସେଣ୍ଟରରେ କୋଭିଡ୍ ପରୀକ୍ଷାର ସୁବିଧା କରାଯାଇଛି। ଏହାସହ କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି।

Leave A Reply

Your email address will not be published.