ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲିଶଙ୍କରା ଠାରେ ଯୁଗ୍ମ ଜନ ଶୁଣାଣି।। ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ ଜିଲ୍ଲାପାଳ।
ସୁନ୍ଦରଗଡ଼, ୧୮ ଜୁଲାଇ ୨୦୨୨: ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ଦିନ ବାଲିଶଙ୍କରା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିା ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଲୋକମାନଙ୍କର ଆପତ୍ତି, ଅଭିଯୋଗ ଆଦି ଶୁଣିଥିଲେ।
ଏହି ଜନଶୁଣାଣିରେ ୧୯ଟି ଗ୍ରାମ ପଞ୍ଚାୟତର ଲୋକ ସେମାନଙ୍କର ବିଭିନ୍ନ ସମସ୍ୟା ନେଇ ଉପସ୍ଥିତ ଥିଲେ। ଏଥିରେ ମୋଟ ୯୬ଟି ଅଭିଯୋଗ ଆସିଥିଲା, ଯେଉଁଥିରେ ଗୋଷ୍ଠୀଗତ ଓ ବ୍ୟକ୍ତିଗତ ସମସ୍ୟା ରହିଥିଲା। ଭତ୍ତା, ରାସ୍ତାଘାଟ, ଡ୍ରେନ୍, ପାନୀୟ ଜଳ ଯୋଗାଣ, ଜମିଜମା, ନିଯୁକ୍ତି, ଅଙ୍ଗନବାଡ଼ି, ସ୍କୁଲ ଏବଂ ବିଦ୍ୟୁତ ଆଦି ସମସ୍ୟା ରହିଥିଲା। ଜିଲ୍ଲାପାଳ ଏହି ଜନଶୁଣାଣି ବେଳେ ୩୧ଟି ଅଭିଯୋଗର ସମାଧାନ କରିଥିଲେ। ଅନ୍ୟ ଅଭିଯୋଗଗୁଡ଼ିକର ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭୈରବ ସିଂ ପଟେଲ, ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ବାଲିଶଙ୍କରା ବ୍ଲକ ଅଧ୍ୟକ୍ଷା କୁଞ୍ଜଲତା ଭିତିରିଆ, ବିଡିଓ ବାସନ୍ତୀ ଲାକ୍ରାଙ୍କ ସହିତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଜନଶୁଣାଣି କାର୍ଯ୍ୟକ୍ରମ ପରେ ଜିଲ୍ଲାପାଳ ବାଲିଶଙ୍କରା ବ୍ଲକରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ ଅଗ୍ରଗତି ଅନୁଧ୍ୟାନ କରିଥିଲେ। ବାଲିଶଙ୍କରାସ୍ଥିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଗସ୍ତ କରି ସ୍ୱାସ୍ଥ୍ୟ ଭିତ୍ତିଭୂମି ବୁଲି ଦେଖିବା ସହ ରୋଗୀ ଏବଂ ଡାକ୍ତରମାନଙ୍କଠାରୁ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।
ରାଜ୍ୟ ସରକାରଙ୍କ ୫ଟି ଅଭିଯାନ ଅଧୀନରେ ରୂପାନ୍ତରିତ ହୋଇଥିବା ବାଲିଶଙ୍କରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ତଲସରାସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ ଜିଲ୍ଲାପାଳ। ସେଠାରେ ସେ ସ୍ମାର୍ଟ କ୍ଲାସରୁମ ସହିତ ଆଧୁନିକ ବିଜ୍ଞାନାଗାର, ଲାଇବ୍ରେରି, ଆଇସିଟି ଲ୍ୟାବ ଆଦି ବୁଲି ଦେଖିବା ସହ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କ ସହ କଥା ହୋଇଥିଲେ।
ଏହାପରେ ଜିଲ୍ଲାପାଳ ବାଲିଶଙ୍କରା ବ୍ଲକର ସଉନାମୁରାଠାରେ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ‘ମିଶନ୍ ଜୀବିକା କାର୍ଯ୍ୟକ୍ରମ’ ଓ ‘ମହାତ୍ମା ଗାନ୍ଧୀ ନରେଗା’ ଯୋଜନା ଅଧୀନରେ ହୋଇଥିବା ଆମ୍ବ ବଗିଚାକୁ ବୁଲି ଦେଖିଥିଲେ। ହିତାଧିକାରୀମାନେ ଅଧିକ ଆୟ ପାଇଁ ନିଜ ଖର୍ଚ୍ଚରେ ଇଣ୍ଟର କ୍ରପିଂ କରିଥିବା ଦେଖି ଜିଲ୍ଲାପାଳ ଖୁସି ପ୍ରକାଶ କରିଥିଲେ।
ତା’ପରେ ଜିଲ୍ଲାପାଳ ସଉନାମୁରାଠାରେ ଉଦ୍ୟାନ କୃଷି ବିଭାଗ ତରଫରୁ କରାଯାଇଥିବା ଆମ୍ବ ବଗିଚା ବୁଲି ଦେଖିଥିଲେ। ସେଠାରେ ଇଣ୍ଟର କ୍ରପିଂରେ କଦଳୀ ଚାଷ କରିଥିବା ଚାଷୀମାନଙ୍କୁ ଭେଟି ଜିଲ୍ଲାପାଳ ସେମାନଙ୍କ ଜୀବିକା ସମ୍ପର୍କରେ ପଚାରି ବୁଝିଥିଲେ।
ବି. କରୁଆବାହାଲଠାରେ କରାଯାଇଥିବା ୫ ମେଟ୍ରିକ ଟନ୍ ବିଶିଷ୍ଟ ସୋଲାର ଶୀତଳ ଭଣ୍ଡାର ବୁଲି ଦେଖିଥିଲେ ଜିଲ୍ଲାପାଳ। ଏହି ଶୀତଳ ଭଣ୍ଡାରର ପରିଚାଳନା ଦାୟିତ୍ଵରେ ଥିବା ମିଶନ ଶକ୍ତିର ମା’ମାନଙ୍କ ସହ ଜିଲ୍ଲାପାଳ କଥା ହୋଇଥିଲେ। ଏଥିସହ ଜିଲ୍ଲାପାଳ ତଲସରା ଡ୍ୟାମ୍ ପରିଦର୍ଶନରେ ଯାଇ ସେଠାରେ ପର୍ଯ୍ୟଟକଙ୍କ ନିମନ୍ତେ ଏକ ଭିୟୁ ପଏଣ୍ଟ ତିଆରି କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।
ଜିଲ୍ଲାପାଳଙ୍କର ଏହି କ୍ଷେତ୍ରସ୍ତରୀୟ ଅନୁଧ୍ୟାନ ବେଳେ ସୁନ୍ଦରଗଡ଼ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭୈରବ ସିଂ ପଟେଲ, ସୁନ୍ଦରଗଡ଼ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ, ଜିଲ୍ଲା ଉଦ୍ୟାନ କୃଷି ବିଭାଗର ଉପନିର୍ଦ୍ଦେଶକ ସୁଦେଶ କୁମାର ଚୌଧୁରୀ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।