ରାଉରକେଲା ରେ ୭୯ ଜଣ ମାଟ୍ରିକ ଛାତ୍ର ଛାତ୍ରୀ ସମ୍ବର୍ଦ୍ଧିତ।। ‘ସମ୍ବାଦ’ ପକ୍ଷରୁ ମାଟ୍ରିକ ଚାମ୍ପିଆନ୍ସ କାର୍ଯ୍ୟକ୍ରମ ରେ ସମ୍ବର୍ଦ୍ଧିତ।

0 319

ରାଉରକେଲା : ନିଷ୍ଠାପର ପରିଶ୍ରମ ଜାରି ରଖ। ତେବେ ପରିଶ୍ରମ ସୃଜନଶୀଳ, ସୁଚିନ୍ତିତ ଓ କଳ୍ପନାମୟ ହେଉ। ପ୍ରବଳ ଇଚ୍ଛାଶକ୍ତି, ଦୃଢ଼ ସଂକଳ୍ପ, ଏକାଗ୍ରତା, ସମୟର ସୁପରିଚାଳନା, ଆତ୍ମବିଶାସ ଓ ସ୍ପଷ୍ଟ ଆଭିମୁଖ୍ୟ ରଖିଲେ ସଫଳତା ସୁନିଶ୍ଚିତ। ଛାତ୍ରଛାତ୍ରୀଙ୍କୁ ଏଭଳି ଉଦ୍‌ବୋଧନ ଦେଇଛନ୍ତି ବିଶିଷ୍ଟ ଶିକ୍ଷାବିତ୍‌ ତଥା ସାହିତ୍ୟିକ ଅଭିରାମ ବିଶ୍ବାଳ।‘ସମ୍ବାଦ’ ରାଉରକେଲା ସଂସ୍କରଣ ପକ୍ଷରୁ ଦଶମ ଶ୍ରେଣୀରେ ୯୨ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟ ରାଉରକେଲା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ୍‌ ଷ୍ଟଡିଜ୍‌(ରିମ୍‌ସ) ପ୍ରେକ୍ଷାଳୟରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ଉତ୍ସବର ମୁଖ୍ୟବକ୍ତା ଶ୍ରୀ ବିଶ୍ବାଳ କହିଲେ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଭା ସମେତ ଶୃଙ୍ଖଳିତ ଜୀବନକୌଶଳ ବି ଦରକାର ବୋଲି କହିଥିଲେ l ସମ୍ମାନିତ ଅତିଥି ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)ର ଡିନ୍‌ ପ୍ରଫେସର ପ୍ରଦୀପ ସରକାର କହିଲେ, ମାଟ୍ରିକ୍‌ ପରୀକ୍ଷା ହେଉଛି ଶୈକ୍ଷିକ ଯାତ୍ରାର ପ୍ରଥମ ସୋପାନ। ଭବିଷ୍ୟତରେ ବହୁ ସୋପାନ ଅତିକ୍ରମ କରିବାକୁ ହେବ ବୋଲି କହିଥିଲେ l ଅନ୍ୟତମ ସମ୍ମାନିତ ଅତିଥି ରିମ୍‌ସର ସମ୍ପାଦକ ଡ. ଆର୍ଯ୍ୟ ପଟ୍ଟନାୟକ କହିଲେ, ଅଭିଭାବକ ନିଜ ପିଲାମାନଙ୍କୁ ପ୍ରୋତ୍ସାହିତ କରନ୍ତୁ। ପିଲାମାନେ ଯାହା ପଢ଼ିବାକୁ ଚାହୁଁଛନ୍ତି, ତାକୁ ସମର୍ଥନ ଦିଅନ୍ତୁ। ପିଲା ଚାପମୁକ୍ତ ହୋଇ ଅଧ୍ୟୟନକଲେ ସଫଳତା ଆପେଆପେ ଆସିବ ବୋଲି କହିଥିଲେ l ଇଷ୍ଟର୍ଣ୍ଣ‌୍ ମିଡିଆ ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ କହିଲେ, କେବଳ ଗୋଟିଏ ପରୀକ୍ଷାରେ ସୀମିତ ନୁହେଁ, ବରଂ ଜୀବନ ପରୀକ୍ଷାରେ ପରିପୂର୍ଣ୍ଣ। ପ୍ରତ୍ୟେକ ପରୀକ୍ଷାରେ ଧ୍ୟାନକେନ୍ଦ୍ରିତ କରିବାକୁ ପଡ଼ିବ। ତେବେ ମାତ୍ରାଧିକ ଧ୍ୟାନକେନ୍ଦ୍ରିତ ନ କରି କେବଳ ନିଜର ଶତ ପ୍ରତିଶତ ଦିଅ। ଆକାଂକ୍ଷିତ ଫଳ ମିଳିଲେ ଅତ୍ୟଧିକ ଖୁସି ନ ମନାଅନି; କିମ୍ବା ଆଶାନୁରୂପକ ଫଳ ହାସଲ ନହେଲେ ନିରାଶ ‌ହୁଅ ନାହିଁ। କାରଣ, ଜୀବନରେ କେବଳ ଥରୁଟିଏ ନୁହେଁ, ବରଂ ଅନେକବାର ସୁଯୋଗ ଆସିବ। ଆମର ପ୍ରକୃତ ମାର୍କସିଟ୍‌ ପରୀକ୍ଷାରେ ମିଳୁଥିବା ମାର୍କ‌୍ ନୁହେଁ। ବରଂ ସମାଜ ପ୍ରତି ଆମର ପ୍ରତିବଦ୍ଧତାକୁ ପାଳନ କଲେ ଆମକୁ ଯେଉଁ ମାର୍କସିଟ୍‌ ମିଳିବ; ତା’ର ମହତ୍ତ୍ବ ସର୍ବାଧିକ। ଏସବୁ ଭିତରେ ମାନସିକ ଶାନ୍ତି ବଜାୟ ରଖିବାକୁ ହେବ। ସୁସ୍ଥ ଜୀବନଶୈଳୀ ପାଳନ ଜାରି ରହୁ ବୋଲି କହିଥିଲେ l ‘ସମ୍ବାଦ’ ବାର୍ତ୍ତା ବିଭାଗ ମୁଖ୍ୟ ମହାପ୍ରବନ୍ଧକ ଅରବିନ୍ଦ ଦାସ ଉତ୍ସବରେ ଅଧ୍ୟକ୍ଷତା କରିବା ସହ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ‘ସମ୍ବାଦ’ ରାଉରକେଲା ସଂସ୍କରଣ ସହକାରୀ ମହାପ୍ରବନ୍ଧକ ଆଶିଷ ଗଡ଼ନାୟକ ଅତିଥି ପରିଚୟ ଦେଇଥିଲେ। ପ୍ରାରମ୍ଭରେ ଶ୍ରୀକ୍ଷେତ୍ର କଳା ପରିଷଦର କଳାକାର ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ପରେ ଗତ ମାଟ୍ରିକ ବୋର୍ଡ ପରୀକ୍ଷାରେ ୯୨ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଜିଲ୍ଲାର ୭୯ ଜଣ ଛାତ୍ରଛାତ୍ରୀଙ୍କୁ ମେଡାଲ, ସାର୍ଟିଫିକେଟ୍‌ ଓ ଫଳ ଚାରା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ସହ-ସମ୍ପାଦକ ଅଶୋକ ପାତ୍ର ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ‘ସମ୍ବାଦ’ର ସମସ୍ତ କର୍ମଚାରୀ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।

Leave A Reply

Your email address will not be published.