ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୮୦୦ ପାର।। ମୁଖ୍ୟମନ୍ତ୍ରୀ ଆଜି ମୁଖ୍ୟ ଶାସନ ସଚିବ ଏବଂ ସ୍ୱାସ୍ଥ୍ୟ ସଚିବ ସହ କୋଭିଡ ସ୍ଥିତିର ସମୀକ୍ଷା କରିବେ।
ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାରୁ ସତର୍କତା ମୂଳକ ପଦକ୍ଷେପ ନେବା ଜରୁରୀ ହୋଇ ପଡିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ସ୍ଥିତିର ସମୀକ୍ଷା ଲାଗି ଆଜି ମୁଖ୍ୟ ଶାସନ ସଚିବ ଏବଂ ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିବେ। କୋଭିଡ ସ୍ଥିତି ରେ ବୃଦ୍ଧି ଯୋଗୁଁ କଟକ , ଭୁବନେଶ୍ୱର ପରେ ସମ୍ବଲପୁର ରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଏହା ସହ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ସମ୍ବଲପୁର ମହନଗର ନିଗମ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଓଡ଼ିଶାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗୁରୁବାର ଦିନ ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୮୦୦ ପାର କରିଯାଇଥିବା ବେଳେ ଏବେ ୨୬ ଟି ଜିଲ୍ଲାରେ କୋଭିଡ ଆକ୍ରାନ୍ତ ଚିହ୍ନଟ ହେଲେଣି। ଖୋର୍ଦ୍ଧା ଜିଲ୍ଲାରେ ଗୁରୁବାର ଦିନ ଆକ୍ରାନ୍ତଙ୍କ ସଂଖ୍ୟା ୩୦୭ ରେ ପହଞ୍ଚି ଥିବା ବେଳେ କଟକରେ ୧୧୯ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ୮୦ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଅନ୍ୟପକ୍ଷରେ ଦେଶରେ ଆଜି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ପାର କରିଯାଇଛି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦ ହଜାର ୧୩୯ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।