ଲହୁଣୀପଡା ବ୍ଳକରେ ସୁନ୍ଦରଗଡ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନଶୁଣାଣି।।

0 283

ସୁନ୍ଦରଗଡ଼/ବଣାଇଁ, ୧୧ ଜୁଲାଇ ୨୦୨୨: ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଲହୁଣୀପଡା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସୋମବାର ଦିନ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଉପସ୍ଥିତ ରହି ଲହୁଣୀପଡ଼ା ବ୍ଳକର ବିଭିନ୍ନ ଗ୍ରାମପଞ୍ଚାୟତରୁ ଆସିଥିବା ଜନସାଧାରଣଙ୍କ ସମସ୍ୟା, ଅଭିଯୋଗ ଆଦି ଶୁଣାଣି କରିଥିଲେ।

ଏହି ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଲହୁଣୀପଡ଼ା ବ୍ଲକର ୧୭ଟି ପଞ୍ଚାୟତର ସାଧାରଣ ଲୋକମାନେ ବିଭିନ୍ନ ଅଭିଯୋଗ ନେଇ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରସଙ୍ଗରେ ମୋଟ ୯୮ଟି ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ଜିଲ୍ଲାପାଳ ୧୧ଟି ଅଭିଯୋଗର ତୁରନ୍ତ ସମାଧାନ କରିଥିଲେ। ଅନ୍ୟ ଅଭିଯୋଗଗୁଡ଼ିକୁ ଅଗ୍ରାଧିକାର ଦେଇ ସମାଧାନ କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଲୋକମାନେ ସ୍ୱାସ୍ଥ୍ୟ, ଶିକ୍ଷା, ରାସ୍ତା, ପାନୀୟ ଜଳ, ଡ୍ରେନ, ବିଦ୍ୟୁତ, ଜମିଜମା ବିବାଦ, ରାସନ କାର୍ଡ, ଶୌଚାଳୟ, ପୋଖରୀ ପୁନରୁଦ୍ଧାର ଆଦି ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ସୁନ୍ଦରଗଡ଼ ଲୋକସଭା ସାଂସଦ ଜୁଏଲ ଓରାମ ଏହି ଜନଶୁଣାଣି କାର୍ଯ୍ୟକ୍ରମକୁ ଯାଇ କଲେଇପୋଷଠାରୁ ରାଜାମୁଣ୍ଡା ପର୍ଯ୍ୟନ୍ତ ଏକ ବାଇ ପାସ ରାସ୍ତା ନିର୍ମାଣ କରିବାକୁ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦେଇଥିଲେ।

ଏହି ଅବସରରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଚଳିତ ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡ୍ ପାଇଥିବା ବଣାଇଁ ଉପଖଣ୍ଡର ୩ ଜଣ ଛାତ୍ରଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ଭବିଷ୍ୟତର ଲକ୍ଷ ପୂରଣ ପାଇଁ ଅଭିନନ୍ଦନ ଜଣାଇଥିଲେ।

ଏହି ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହିତ ରାଉରକେଲା ଏସପି ମୁକେଶ କୁମାର ଭାମୁ, ସୁନ୍ଦରଗଡ଼ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭୈରବ ସିଂ ପଟେଲ, ବଣାଇଁ ଡିଏଫଓ ସନତ କୁମାର ଏନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ବଣାଇଁ ଉପଜିଲ୍ଲାପାଳ ସୁରଞ୍ଜନ ସାହୁ, ବଣାଇଁ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଲଲାଟ କୁମାର ଲୁହା, ଡେପୁଟି କଲେକ୍ଟର (ଆପାତକାଳୀନ) କୁନ୍ତୀ ରାଣୀ ନାୟକ, ଲହୁଣୀପଡ଼ା ବିଡିଓ ଧନାଇ ଚରଣ ଟୁଡୁ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.