ଡୁଙ୍ଗୁରିସାହି ବାସିନ୍ଦା ଏବେ ପାଇବେ ବିଦ୍ୟୁତ ସେବା।। ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଗାଁ ଡୁଙ୍ଗୁରିସାହି।
ରାଇରଙ୍ଗପୁର ରୁ ମାତ୍ର ୨୦ କିଲୋମିଟର ରାସ୍ତା ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଙ୍କ ଗାଁ ଡୁଙ୍ଗରିସାହି । ମୟୁରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ ର ଏହି ଗ୍ରାମର ଲୋକମାନେ ଏପର୍ଯ୍ୟନ୍ତ ବିଜୁଳି ସେବା ପାଇପାରି ନାହାନ୍ତି।

ଏବେ କିନ୍ତୁ ଏହି ଗ୍ରାମ ହେବ ଆଲୋକିତ । ରାଷ୍ଟ୍ରପତି ପଦ ପାଇଁ ଏନ ଡି ଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନାମାଙ୍କନ ପତ୍ର ଦାଖଲ କରିବା ପରେ ଗାଁ ଲୋକେ ଦେଖିବେ ବିଜୁଳି। ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଗାଁ ଅନ୍ଧାର ରେ ବୋଲି ବିଭିନ୍ନ ଗଣ ମାଧ୍ୟମ ରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଛି। ଶନିବାର ଦିନ ବିଦ୍ୟୁତ ବିଭାଗ ଅଧିକାରୀ ମାନେ ଗାଁ ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବିଦ୍ୟୁତ ସଂଯୋଗ ଦେବା ପାଇଁ ଖୁଣ୍ଟ ପୋତିବା କାମ ଆରମ୍ଭ ହୋଇ ଗଲାଣି ।।
ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ୍ ଉପରବେଡା ପଞ୍ଚାୟତ ର ଡୁଙ୍ଗୁରିସାହି। ସେହି ଗାଁରେ ଜନ୍ମ ଗ୍ରହଣ କରିଥିଲେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ହେଲେ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ଏହି ଗାଁରେ ବିଜୁଳି ପହଞ୍ଚି ପାରିନାହିଁ। ଏହି ଗାଁ ରେ ରହନ୍ତି ୫୦ ରୁ ଉର୍ଦ୍ଧ୍ବ ପରିବାର। ଦ୍ରୌପଦୀ ମୁର୍ମୁ ପୂର୍ବରୁ ମନ୍ତ୍ରୀ ମଧ୍ୟ ଥିଲେ । ତଥାପି ଏହି ଗାଁ ର ଏପରି ଅବସ୍ଥା। ତେବେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କ ନାଁ ଘୋଷଣା ପରେ ଚର୍ଚ୍ଚାକୁ ଆସିଥିଲା ତାଙ୍କ ଗାଁ।
ଦେଶ ସ୍ୱାଧୀନ ହେବାର ଏତେବର୍ଷ ପରେ ଗୋଟିଏ ଗାଁକୁ ବିଜୁଳି ଯାଇନାହିଁ। ଆଉ ସେହି ଗାଁରେ ଜନ୍ମ ଗ୍ରହଣ କରିଥିଲେ ରାଷ୍ଟ୍ରପତି ପ୍ରାର୍ଥୀ। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ତତ୍ପର ହୋଇଛି ପ୍ରଶାସନ। ଶନିବାର ରାଇରଙ୍ଗପୁର ବିଦ୍ୟୁତ ବିଭାଗ ଅଧିକାରୀ ଏବଂ କର୍ମଚାରୀମାନେ ଡୁଙ୍ଗୁରି ସାହିକୁ ଯାଇ ପହଞ୍ଚି ଛନ୍ତି। ସର୍ଭେ ପରେ ଉପରବେଡା ବଡ଼ ସାହିଠାରୁ ମୋଟ୍ ୨୮ଟି ବିଦ୍ୟୁତ ଖୁଣ୍ଟ ପୋତା ହେବା ନେଇ ଚିହ୍ନଟ ହୋଇଛି। ଶନିବାର ସନ୍ଧ୍ୟାରୁ ବିଦ୍ୟୁତ ଖୁଣ୍ଟ ପୋତା ଆରମ୍ଭ ହୋଇ ଯାଇଛି। ଲାଗୁଛି ଡୁଙ୍ଗୁରିସାହି ବାସିନ୍ଦା ଏବେ ପାଇବେ ବିଦ୍ୟୁତ ସେବା।